ମାହାଙ୍ଗା ଡବଲ ମର୍ଡର ପଛରେ କିଏ ? ତନାଘନା କରୁଛି  ପୋଲିସ

ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ

ଭୁବନେଶ୍ବର : ମାହାଙ୍ଗାର ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ଓ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଅଭିଯୋଗର ତନାଘନା କରୁଛି ପୋଲିସ । ଡିଆଇଜି ଆଶିଷ ସିଂ, କଟକ ଏସ୍‌ପି, ଫରେନସିକ ଟିମ ସହ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଗତକାଲି  ରାତିରେ କୁଳମଣି ଓ ଦିବ୍ୟ ସିଂହ  ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ହତ୍ୟା ପଛରେ ରାଜନୈତିକ କାରଣ ଥିବା ବିଜେପି ଅଭିଯୋଗ ଆଣିଥିବାବେଳେ ମାହାଙ୍ଗା ବିଧାୟକ ଏହାର ଜବାବ ରଖିଛନ୍ତି ।

mahanga double murder

ମାହାଙ୍ଗା ଡବଲ ମର୍ଡର ପଛରେ କିଏ । ହତ୍ୟା ପଛର ପ୍ରକୃତ କାରଣ କଣ । ମାହାଙ୍ଗାର ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ଓ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ନେଇ ଏମିତି କିଛି ପ୍ରଶ୍ନ ଉଠୁଥିବାବେଳେ ତନାଘନା ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତ ମାନଙ୍କୁ  ଧରିବାକୁ  ୫ଟି ସ୍ବତନ୍ତ୍ର ଟିମ ଗଠନ କରିଛି ପୋଲିସ । ୨ ଜଣ  ଅତିରିକ୍ତ ଏସପି , ଜଣେ ଡିଏସପି  ଓ ୫ ଜଣ ଇନସ୍ପେକ୍ଟରଙ୍କୁ  ତଦନ୍ତ ଭାର ଦିଆଯାଇଛି । ପୂର୍ବଶତ୍ରୁତାକୁ ନେଇ କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡୁଥିଲେ ବି ଅଭିଯୁକ୍ତଙ୍କୁ ଧରିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ପି. ଯୁଗଳ । ମୃତ କୁଳମଣିଙ୍କ ପୁଅ ୧୨ ଜଣଙ୍କ ନାଁରେ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି । ହତ୍ୟା ପଛରେ ରାଜନୈତିକ କାରଣ ଥିବା ସେ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ରାଜନୈତିକ କାରଣରୁ ଦଳର ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର । ଅଭିଯୁକ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହତ୍ୟାକାଣ୍ଡକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  ସେପଟେ ସ୍ଥାନୀୟ ବିଧାୟକ ମନ୍ତ୍ରୀ ପ୍ରତାପ ଜେନା ହତ୍ୟା ଘଟଣାକୁ ତିବ୍ର ନିନ୍ଦା କରି, ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି  । ଦୋଷୀଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଛନ୍ତି ପ୍ରତାପ ।

ଗତକାଲି ସଂଧ୍ୟାରେ କୁଆଁପାଳ ବଜାରରୁ ବାଇକ୍ ଯୋଗେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ନିଜ ଘର ନୁର୍ତାଙ୍ଗକୁ ଫେରୁଥିଲା ବେଳେ ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ମାହାଙ୍ଗା ରାଜନୀତିରେ କୁଳମଣି ଦୀର୍ଘ ଦିନ ସକ୍ରିୟ ଥିଲେ । କଂଗ୍ରେସ ଛାଡି ଗତ ନିର୍ବାଚନ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ସାଲେପୁର ବ୍ଲକ ପ୍ରଭାରି ଦାୟିତ୍ବରେ ଥିଲେ ।