ମାହାଙ୍ଗା ଡବଲ ମର୍ଡର ଘଟଣା : ମୁଖ୍ୟ ଅଭିଯୁକ୍ତର ବୟାନ, ରାଜନୀତି ନୁହେଁ ମାଡର ପ୍ରତିଶୋଧ ନେବାକୁ କରିଛୁ ହତ୍ୟା

ହତ୍ୟା କରିଥିବା ସ୍ବୀକାର କଲା ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ

ଭୁବନେଶ୍ୱର : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ପଞ୍ଚାନନ ସେଠୀ ଚାଞ୍ଚଲ୍ୟକର ବୟାନ । କୋର୍ଟ ଚାଲାଣ ବେଳେ କୁଳମଣି ବରାଳଙ୍କୁ ସେ ହତ୍ୟା କରିଥିବା ସ୍ୱୀକାର କରିଛି। ପୂର୍ବରୁ କୁଳମଣି ଓ ତାଙ୍କ ପୁଅ ତାଙ୍କୁ ଲଙ୍ଗଳା କରି ଆକ୍ରମଣ କରିଥିଲେ ବୋଲି ପୁଲିସ ଆଗରେ ବୟାନ ଦେଇଛି। ତେଣୁ ପ୍ରତିଶେ‌ାଧ ନେବାକୁ ଯାଇ ଆମେ ତାଙ୍କୁ ଆକ୍ରମଣ କଲୁ ବୋଲି ପଞ୍ଚାନନ କହିଛି ।

ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ ଏଯାଏଁ ୫ ଜଣଙ୍କୁ ଗିରଫ କରିସାରିଛି। ଏହାସହ ଗିରଫ ପରେ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍‌ ସିନର ରିକ୍ରିଏସନ କରିଛି। କୁଳମଣି ବରାଳକୁ ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଛି ବୋଲି କୁହାଯାଇଛି ।
ଗତ ୨ ତାରିଖ ରାତିରେ ଯଁକୋଟି ଗ୍ରାମରୁ କୁଳମଣି ଓ ଦିବ୍ୟସିଂହ ବାଇକରେ ନୃର୍ତ୍ତାଙ୍ଗସ୍ଥିତ ସେମାନଙ୍କ ଘରକୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ସେମାନେ ତାଙ୍କୁ ଅତର୍କିତ ଭାବରେ ଠେଙ୍ଗା, ପଥର ଓ ଖଣ୍ତାରେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ସେଠାରେ ଲହୁଲୁହାଣ ହୋଇ ତଳେ ପଡିଯିବା ପରେ ସେମାନେ ନଈ ବନ୍ଧ ଓ ଡଗରାସାହି ରାସ୍ତା ଦେଇ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ । ହତ୍ୟାକାଣ୍ତରେ ବ୍ୟବହୃତ ଖଣ୍ତାକୁ ଯଁକୋଟି ନୂଆ ପୋଲ ନିକଟସ୍ଥ ସୁକନଈ ବନ୍ଧର ଏକ ବେଣାମୂଳରେ ଲୁଚାଇ ଦେଇଥିଲେ। ହତ୍ୟାକାଣ୍ଡ ପୂର୍ବରୁ ସେମାନେ ଖୁଣ୍ଟରୁ ଷ୍ଟ୍ରିଟ୍ ଲାଇଟ୍ କାଟି ଦେଇଥିଲେ।