ମହାନଦୀ ଜଳ ବିବାଦ ମାମଲା: ଜାନୁୟାରୀରେ ୨ୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲଙ୍କ ଶେଷ ଶୁଣାଣି ହୋଇଛି । ତେବେ ଏହି ଶୁଣାଣିରେ ଜାନୁୟାରୀରେ ୨ୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଏବଂ ଛତିଶଗଡ଼ ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଞ୍ଚଳର ପ୍ରଥମ ପର୍ଯ୍ୟାୟ ପରିଦର୍ଶନ କରିଥିବା ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ଏହା ସହ ଟ୍ରିବ୍ୟୁନାଲଙ୍କୁ ଉଭୟ ପକ୍ଷରୁ ନିବେଦନ କରାଯାଇଥିଲା କି ପ୍ରକଳ୍ପ ସମ୍ପର୍କରେ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି । ତେଣୁ ୨ୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଅନୁମତି ଦେଇଛନ୍ତି ।

ଏହି  ନିଷ୍ପତି ପରେ ଉଭୟ ରାଜ୍ୟର ଅଧିକାରୀ ଆଗାମୀ ଜାନୁୟାରୀ ମାସରେ କ୍ଷେତ୍ର ପରିଦର୍ଶନ କରିବେ। ପ୍ରଥମେ ଛତିଶଗଡ଼ ଟିମ ଜାନୁୟାରୀ ୧୪ ତାରିଖରେ କ୍ଷେତ୍ର ପରିଦର୍ଶନରେ ଆସିବେ ଏବଂ ଜାନୁଆର ୧୬ ତାରିଖରେ ଓଡ଼ିଶା ଟିମ ଛତିଶଗଡ଼ ପ୍ରକଳ୍ପ ପରିଦର୍ଶନ କରିବେ। ଏହାଛଡ଼ା ଟ୍ରିବ୍ୟୁନାଲ ଦୁଇଜଣ ଆସେସରଙ୍କୁ ନିଯୁକ୍ତ କରିଛନ୍ତି।

ଫେବୃଆରି ୧ ତାରିଖ ସୁଦ୍ଧା ସମସ୍ତ ପ୍ଲିଡିଂ ସମାପ୍ତ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରି ୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଉଭୟ ଓଡ଼ିଶା ଓ ଛତିଶଗଡ଼ର ପକ୍ଷ ଶୁଣିବେ ।

ସୂଚନାଯୋଗ୍ୟ, ଅକ୍ଟୋବର ୨୯ରୁ ନଭେମ୍ବର ୩ ତାରିଖ ଭିତରେ ଓଡ଼ିଶା ପ୍ରତିନିଧି ଦଳ ଛତିଶଗଡ଼ ଯାଇ ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ । ଏହାପରେ ନଭେମ୍ବର ୨ୟ ସପ୍ତାହରେ ଛତିଶଗଡ଼ ଟିମ୍ ମଧ୍ୟ ଓଡ଼ିଶା ଆସି ମହାନଦୀ ଉପରେ ନିର୍ମାଣ କରାଯାଇଥିବା ପ୍ରକଳ୍ପଗୁଡ଼ିକ ବୁଲିଦେଖିଥିଲେ ।