ଭୟଙ୍କର ରୂପ ନେଉଛି ‘ମାହା’; ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ମାହା କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଜି ସନ୍ଧ୍ୟାରେ ମାହା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଉତ୍ତର ଲାକ୍ଷାଦ୍ୱୀପର ଛେତଲାତ ଦ୍ୱୀପଠାରୁ ୨୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ମାହା ଘନୀଭୂତ ହେଉଥିବା ବେଳେ ଆରବ ସାଗରରେ ପୂର୍ବରୁ ସକ୍ରିୟ ଥିବା ବାତ୍ୟା କାୟାର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ବାତ୍ୟା ମାହା ପ୍ରଭାବରେ କେବଳ, କର୍ଣ୍ଣାଟକା ଉପକୂଳ ଓ ଦକ୍ଷିଣ ତାମିଲନାଡୁରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠାରୁ ଏଠାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି ଲାକ୍ଷାଦ୍ୱୀପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ମାହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାପରେ ମାହା ଉତ୍ତରପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆରବ ସାଗରେ ଉପରେ କେନ୍ଦ୍ରୀଭୂତ ହେବ। ଏଠାରୁ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ଆରମ୍ଭ କରିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ନଭେମ୍ବର ୨ ତାରିଖରେ ଏହାର ପ୍ରଭାବ ଅଧିକ ରହିବ ବୋଲି ମଧ୍ୟ ବିଭାଗ କହିଛି। ମାହା ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିବ। ବେଳେବେଳେ ଏହା ୧୨୦ କିମି ମଧ୍ୟ ଛୁଇଁପାରେ। ବୁଧବାର ଆରବ ସାଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ମାହାର ରୂପ ନେଇଥିଲା। ଆଜି ଏହା ଘନୀଭୂତ ହୋଇ ଅଧିକ ଭୟଙ୍କର ରୂପ ନେଇଛି।  ମାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟ ଯିବାକୁ ବାରଣ କରାଯାଇଛି।