ମଧୁବାବୁଙ୍କ ଆଦର୍ଶରେ ଆଜିର ପିଢ଼ି ଅନୁପ୍ରାଣୀତ ହୁଅନ୍ତୁ:ମାନସ ମଙ୍ଗରାଜ

ଭୁବନେଶ୍ୱର: ଓଡ଼ିଆ ଜାତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ପ୍ରାଣଭରି ଭଲ ପାଏ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଭିତ୍ତି ମାନଚିତ୍ର ତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସେ ତତ୍କାଳୀନ ଭାଇସ୍‌ରାୟ ଲର୍ଡ କର୍ଜନଙ୍କୁ ସିମଳାରେ ସାକ୍ଷାତ କରି ଓଡ଼ିଶା ସମ୍ପର୍କରେ ଅବଗତ କରାଇବା ପରେ କର୍ଜନ ଓଡ଼ିଶା ଆସିଥିଲେ । ମଧୁବାବୁଙ୍କ କୃତି ଓ କୃତିତ୍ୱ ପାଇଁ ଓଡ଼ିଆ ଜାତି ତାଙ୍କୁ ହୃଦୟର ସହିତ ସବୁଦିନ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଉଥିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଉତ୍କଳ ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥିମାନେ ମଧୁବାବୁଙ୍କ ଘଟଣାବହୁଳ ଜୀବନ ତଥା ଓଡ଼ିଶାର ସମୃଦ୍ଧି ପାଇଁ ତାଙ୍କର ବହୁମୁଖୀ ଅବଦାନ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ଲୋକସମ୍ପର୍କ ଓ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଆଦର୍ଶରେ ଆଜିର ପିଢ଼ି ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ‘ଓଡ଼ିଶା ରିଭ୍ୟୁ’ ଓ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଡ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ, ମଧୁବାବୁ ଓଡ଼ିଆ ଜାତିକୁ ସ୍ୱପ୍ନର ଭାଷା ଶିଖାଇଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଉପରେ ବିଶଦ ଭାବରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସୁରବିତାନର ଶିଳ୍ପୀବୃନ୍ଦ ସଙ୍ଗୀତ ପରିବେଷଣ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଧନ୍ୟବାଦ ଦେଇଥିଲେ । ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମ ଶେଷରେ ଉଦ୍‌ଯାପନୀ ସଙ୍ଗୀତ ପରିବେଷଣ କରାଯାଇଥିଲା ।