ସହଜ ହେବ ପାଠପଢା : ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ‘ମଧୁ’ ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମରେ ଜିଲ୍ଲାରେ ହେଲା 'ମଧୁ' ଆପ୍ ଆରମ୍ଭ, ପରେ ସବୁ ଜିଲ୍ଲାରେ ହେବ ଉପଲବ୍ଧ

ଭୁବନେଶ୍ବର  : ଶିକ୍ଷା ବ୍ୟବସ୍ଥାରେ ଦକ୍ଷତା ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ଅଭିନବ ପ୍ରୟାସ ‘ମଧୁ’ ଆପ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ‘ମଧୁ’ ଆପ୍ ର ଶୁଭାରମ୍ଭ କରିଛନ୍ତି | ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ଆପକୁ ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ଉପଲବ୍ଧ କରିବାର ଯୋଜନା ଅଛି ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ବୁଝି ନପାରିଲେ ଉତ୍ତର ଦେବ ମଧୁ ଆପ୍‌ ସହଜ ହେବ ପାଠପଢା । ପାଠ ସମ୍ପର୍କରେ ମନରେ କୌଣସି ସନ୍ଦେହ ଥିଲେ ଛାତ୍ରଛାତ୍ରୀମାନେ ଏଣିକି ବିନା  ଶିକ୍ଷକ ଏବଂ ବହିର ସହାୟତାରେ, ସନ୍ଦେହ ଦୂର କରିପାରିବେ । ସେମାନଙ୍କୁ ଫୋନରେ ମଧୁ ଆପ୍‌କୁ ଇନଷ୍ଟାଲ କରିବାକୁ ପଡ଼ିବ। ଏଥିରେ ସ୍କୁଲର ନାମ, ଛାତ୍ର ବା ଛାତ୍ରୀଙ୍କ ନାମ, କେଉଁ କ୍ଳାସ୍ ତାହା ଉଲ୍ଲେଖ କରିବା ପରେ, କୌଣସି ବିଷୟକୁ ସିଲେକ୍ଟ କରି ସନ୍ଦେହ ଦୂର ପାଇଁ ପ୍ରଶ୍ନ କରିପାରିବେ । ରାଜଧାନୀର ଲୋକସେବା ଭବନରୁ ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାରେ ଏହି ସ୍ବତନ୍ତ୍ର  ଆପର ଉନ୍ମୋଚନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ର ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍‌’ ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ। ଭଲ ପାଠ ପଢି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଏହି  ଆପରେ ପଞ୍ଚମଠାରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟକ୍ରମର ସମସ୍ତ ବିଷୟ  ସହ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ସମସ୍ତ ପ୍ରଶ୍ନ ଏବଂ ଉତ୍ତର ରହିବ । ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସରେ ନାମ ପଞ୍ଜିକରଣ କରି ବହି ପାଠକୁ ଡିଜିଟାଲ ପଦ୍ଧତିରେ ଏହି ଆପ୍ ମାଧ୍ୟମରେ ପଢ଼ିପାରିବେ । ନିୟମିତ ପାଠ୍ୟକ୍ରମ ବ୍ୟତୀତ, ମଧୁ ଆପ୍ ଜରିଆରେ  ପ୍ରଶ୍ନୋତ୍ତର ଅଭ୍ୟାସ କରିବାର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢ଼ି ତାର ଉତ୍ତର ଲେଖି ତାହା ଠିକ୍ କି ଭୁଲ ଏବଂ କେତେ ମାର୍କ ପାଇବେ ତାହା ଛାତ୍ରଛାତ୍ରୀ ଜାଣିପାରିବେ ।

ସ୍କୁଲ ସମୟରେ ପିଲାଙ୍କୁ ପାଣି ପିଇବା ପାଇଁ ନିକଟ ଅତୀତରେ ଗଞ୍ଜାମ ଜିଲ୍ଲାରେ ହିଁ  ପ୍ରଥମେ ୱାଟର ବେଲ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏବେ, ପୁଣି ଏହି ଜିଲ୍ଲାରୁ ମଧୁ ଆପ୍ କୁ ପ୍ରଥମେ ଆରମ୍ଭ କରାଯାଇଛି। ଅବଶ୍ୟ ଏହି ଆପ ଖୁବଶୀଘ୍ର ଅନ୍ୟ ଜିଲ୍ଲାରେ ଉପଲବ୍ଧ ହେବ।

ଆଜିର କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ।