ମାଛକୁଣ୍ଡ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି: ଖୋଲିଲା ୩ ଗେଟ୍‌

ଲମତାପୁଟ: ଗତ କିଛି ଦିନ ହେବ ସାରା ରାଜ୍ୟରେ  ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ଥିବା ମାଛକୁଣ୍ଡ ଜଳ ଭଣ୍ଡାରର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଜଳ ଭଣ୍ଡାରର ବିପଦ ସଙ୍କେତ ଅତି ନିକଟତର ହୋଇଥିବାରୁ ଆଜି ଜଳ ଭଣ୍ଡାରର ୮, ୩ ଓ ୬ ନମ୍ୱର ଗେଟ୍ ଖୋଲି ଦିଆଯାଇଛି। ଫଳରେ ପ୍ରତି ସେକେଣ୍ଡରେ  ୬ ହଜାର କ୍ୟୁସେକ୍ ଜଳ ବାଲିମେଳା ଜଳ ଭଣ୍ଡାରକୁ ଛଡ଼ା ଯାଉଛି। ଜଳ ଭଣ୍ଡାରର ବିପଦ ସଙ୍କେତ ୨୫୯୦ ଫୁଟ୍ ରହିଥିବା ବେଳେ ବର୍ତ୍ତମାନ ଏହା ୨୫୮୮ ଫୁଟ୍‌ରେ ଜଳସ୍ତର ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ବନ୍ୟାସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ଭିତରେ ଜିଲ୍ଲାରେ ହାରାହାରି ୧୧୬.୮୦ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।