କାରଗିଲ ଯୋଦ୍ଧାଙ୍କୁ ସମର୍ପିତ ‘ମନ୍ କି ବାତ୍’: ଶତ୍ରୁତା ଦୁଷ୍ଟଙ୍କ ସ୍ଵଭାଵ କହିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାରଗିଲ ବିଜୟ ଦିବସରେ ଦେଶର ଯବାନଙ୍କ ସାହସିକତାକୁ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯଦିଓ ଭାରତ ସେତେବେଳେ ପାକିସ୍ତାନ ସହ ବନ୍ଧୁତା ଚାହୁଁଥିଲା, କିନ୍ତୁ ପାକିସ୍ତାନ କାରଗିଲ ଯୁଦ୍ଧ ଆରମ୍ଭ କରି ଦୁଃସାହସ ଦେଖାଇଥିଲା । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଯୁଦ୍ଧରେ ଭାରତର ପ୍ରକୃତ ବୀରତ୍ୱର ବିଜୟ ହୋଇଛି ।

ମୋଦି ଏହା ମଧ୍ୟ କହିଛନ୍ତି ଯେ ଦୁଷ୍ଟମାନଙ୍କ ସ୍ଵଭାବ ହେଲା ବିନା କାରଣରେ ଶତ୍ରୁତା ଗ୍ରହଣ କରିବା। ପାକିସ୍ତାନ ମଧ୍ୟ ଏହିପରି କରୁଥିଲା । ସେ କହିଛନ୍ତି ଯେ ଏଭଳି ପ୍ରକୃତିର ଲୋକେ ମଧ୍ୟ ନିଜର କ୍ଷତି କରନ୍ତି । ତେଣୁ ଭାରତର ବନ୍ଧୁତାକୁ ଆଗରେ ରଖି ପାକିସ୍ତାନ ପଛପଟୁ ଛୁରା ମାରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହାପରେ ସମଗ୍ର ବିଶ୍ୱ ଭାରତ ଦେଖାଇଥିବା ପରାକ୍ରମକୁ ଦେଖିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେତବେଳେ ସେ କାରଗିଲ ଯାଇ ସାହସୀ ଯବାନଙ୍କୁ ଦେଖିବାର ସୌଭାଗ୍ୟ ପାଇଥିଲେ। ଏବଂ ଏହି ମୁହୂର୍ତ୍ତ ଗୁଡିକ ତାଙ୍କ ଜୀବନର ମୂଲ୍ୟବାନ ମୁହୂର୍ତ୍ତ ଅଟେ । ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଇଥିବା ବାର୍ତ୍ତାକୁ ମନେ ପକାଇଥିଲେ।

ବାଜପେୟୀ କହିଥିଲେ, ‘କାରଗିଲ ଯୁଦ୍ଧ ଆମକୁ ଏକ ମନ୍ତ୍ର ଦେଇଛି । ଏହା କି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଆମେ ଭାବିବା ଉଚିତ୍ ଯେ ଆମର ଏହି ପଦକ୍ଷେପ ସେହି ଅପହଞ୍ଚ ପାହାଡରେ ଥିବା ଯବାନଙ୍କ ସମ୍ମାନ ଅନୁଯାୟୀ ଅଟେ କି’ । ଅନ୍ୟପକ୍ଷେ କୋରୋନା ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଧୈର୍ଯ୍ୟର ପ୍ରଶଂସା କରିଛନ୍ତି। ମାସ୍କ ପିନ୍ଧିବାରେ ଅନେକ ସମସ୍ୟା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରକାଶଥାଉକି, ୨୮ ଜୁନରେ ପ୍ରଧାନମନ୍ତ୍ରୀ ମୋଦି ‘ମନ୍ କି ବାତ୍’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଥିଲେ। ଏ ମଧ୍ୟରେ ପ୍ରଧାନମନ୍ତ୍ରୀ ଚାଇନାର ଆକ୍ରମଣ, ଲକଡାଉନ୍ ଓ କୋରୋନା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜନସାଧାରଣଙ୍କ ସହ ନିଜର ମତ ବ୍ୟକ୍ତ କରିଥିଲେ । ବର୍ତ୍ତମାନ ଦେଶରେ କୋରୋନା ମାମଲାରେ ବୃଦ୍ଧି ଘଟିଛି । ତେବେ ଏସମୟରେ ମୋଦି କଣ ପଦକ୍ଷେପ ନେବେ ସେ ନେଇ ସମସ୍ତଙ୍କ ନଜର ରହିବ ।