ପ୍ରେମ ଜାଲରେ ସୋସିଆଲ ମିଡିଆରେ ସ୍ତ୍ରୀ ଟୋକା ଫସେଇ ରୋମାନ୍ସ ପାଇଁ ପୁରୀ ଡାକୁଥିଲେ, ସ୍ୱାମୀ ଲୁଟୁଥିଲେ

ପୁରୀ : ସୋସିଆଲ ମଡିଆରେ ପ୍ରଥମେ ବନ୍ଧୁତା । ତା ପରେ ପ୍ରେମ କରିବାର ଅଭିନୟ କରି ଯୁବକଙ୍କୁ ଫସାଉଥିଲେ । ଆଉ ପୁରୀରେ ରୋମାନ୍ସ କରିବାକୁ ଡାକୁଥିଲେ । ହେଲେ ସେବୁ ପଛରେ ଯୁବକଙ୍କୁ ଲୁଟ କରିବା ଉଦ୍ୟମ ରଖୁଥିଲେ । ସେଥିଲାଗି ପୁରୀରେ ଅପେକ୍ଷା କରି ରହୁଥିଲେ ସ୍ୱାମୀ । ବାସ ପୁରୀରେ ପହଂଚିବା ପରେ ରୋମାନ୍ସ ବାହାନାରେ ଯୁବକଙ୍କୁ ଭୟଭୀତ କରାଇ ସବୁ କିଛି ଲୁଟି ନେୁଥିଲେ ଦମ୍ପତି ।

ସୋସିଆଲ ମିଡିଆରେ ସ୍ତ୍ରୀ ଯୁବକମାନଙ୍କୁ ପ୍ରେମଜାଲରେ ଫସାଉଥିଲେ। ସେମାନଙ୍କୁ ଭେଟିବାକୁ ପୁରୀ ଡାକୁଥିଲେ। ସ୍ବାମୀ ସମ୍ପୃକ୍ତ ଯୁବକଙ୍କୁ ଭୟଭୀତ କରାଇ ଲୁଟୁଥିଲେ। ଶୁକ୍ରବାର ଏଭଳି ଅଭିନବ ଲୁଟ୍‌ର ପର୍ଦ୍ଦାଫାଶ କରି ଟାଉନ ଥାନା ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି। ସେମାନଙ୍କୁ ପୁରୀ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଦମ୍ପତିଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ କାଳିକାଦେବୀ ସାହିର ସନ୍ତୋଷ ଦାଶ ଓରଫ ରାଜା(୩୦) ଏବଂ ତାଙ୍କ ସ୍ତ୍ରୀ ରିଆ। ତାଙ୍କଠାରୁ ଏକ ସୁନାଚେନ, ସ୍କୁଟି, ଛୁରି, ୨ଟି ମୋବାଇଲ ଫୋନ ଓ ଖେଳଣା ବନ୍ଧୁକ ଜବତ କରିଛି। ଜେରାବେଳେ ଏହି ଦମ୍ପତି ଲୁଟ୍‌ ସମ୍ପର୍କରେ ସ୍ବୀକାର କରିଥିବା ଥାନା ଅଧିକାରୀ ଉମାଶଙ୍କର ସିଂ କହିଛନ୍ତି।

ସୂଚନା ମୁତାବକ, ଏକ ମାସ ତଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ କଲେଜର ଜଣେ ବିଟେକ୍‌ ଛାତ୍ରଙ୍କର ରିଆଙ୍କ ସହିତ ଫେସବୁକ ଓ ହ୍ବାଟ୍ସଆପ୍‌ରେ ସମ୍ପର୍କ ସ୍ଥାପନ ହୋଇଥିଲା। ଯୁବକ ଜଣକ ପ୍ରେମ ଜାଲରେ ଫସିଯାଇଥିବା ଜାଣିବା ପରେ ରିଆ ତାଙ୍କୁ ଦେଖା କରିବାକୁ ପୁରୀ ଡାକିଥିଲେ। ଗତ ୧୨ତାରିଖରେ ସମ୍ପୃକ୍ତ ଯୁବକ ପୁରୀ ଆସି ନାରୀସେବା ସଦନ ଛକରେ ପହଞ୍ଚତ୍ଥିଲେ। ୧୦ମିନିଟ୍‌ ପରେ ସନ୍ତୋଷ ଏକ ସ୍କୁଟିରେ ଆସି ସେଠାରେ ପହଞ୍ଚତ୍ ତାଙ୍କୁ ରିଆ ନେବାକୁ ପଠାଇଥିବା କହିଥିଲେ। ଯୁବକଙ୍କୁ ସ୍କୁଟିରେ ଧରି କିଛି ବାଟ ଯିବା ପରେ ଏକ ନିଛାଟିଆ ସ୍ଥାନରେ ମାରଣାସ୍ତ୍ର ଦେଖାଇ ୫ହଜାର ଟଙ୍କା, ସୁନାଚେନ ଓ ମୋବାଇଲ ଲୁଟି ନେଇଥିଲେ। ସମ୍ପୃକ୍ତ ଯୁବକ ଲୋକଲଜ୍ଜା ଭୟରେ କାହାକୁ କିଛି ନ କହି ଭୁବନେଶ୍ୱର ଚାଲି ଯାଇଥିଲେ। ପରେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ୧୯୮/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।