କୋରୋନାକୁ ଲକ୍ ଡାଉନ୍ କରିବା ପାଇଁ ଏହି ଲକ୍ ଡାଉନ୍

ଭୁବନେଶ୍ୱର: ମହାମାରୀ କୋରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ୫ଟି ଜିଲ୍ଲା ୮ଟି ସହରରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଯାହା ଗତକାଲି ଠାରୁ ୨୯ ତାରିଖ ରାତି ୯ଟା ଯାଏଁ ରହିବ । ଓଡ଼ିଶାର ପ୍ରାୟ ୪୦ ପ୍ରତିଶତ ଅଂଚଳରେ ଏହି ଲକ୍ ଡାଉନ୍ ହେଉଛି। ସ୍ୱାସ୍ଥ୍ୟ ଦୃଷ୍ଟିୁରୁ ସ୍ୱାଧୀନ ଭାରତରେ ଏହା ସର୍ବବୃହତ୍ ଲକ୍ ଡାଉନ୍। କରୋନାକୁ ଲକ୍ ଡାଉନ୍ କରିବା ପାଇଁ ଏହି ଲକ୍ ଡାଉନର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର  ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନାକୁ ନକ୍ ଡାଉନ୍ କରିବା ପାଇଁ ଏହି ଲକ୍ ଡାଉନର ଆବଶ୍ୟକତା ରହିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ଅଦ୍ଭୂତପୂର୍ବ ପଦକ୍ଷେପ ହେଉଛି ଏକ ସୁଚିନ୍ତିତ ପଦକ୍ଷେପ। ରାଜ୍ୟର ୪୦ ପ୍ରତିଶତ ଅଂଚଳରେ ତାଲା ବନ୍ଦ ପରିସ୍ଥିତି ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଯଥାରୀତି ଚାଲିବ। ଏହି ଲକଡାଉନ୍ ମାଧ୍ୟମରେ ଲୋକେ ନିଜକୁ ସୁରକ୍ଷିତ ରଖିପାରିବେ। ମଣିଷ ବଂଚିଲେ ହିଁ ସ୍ଥିରତା ଆସିପାରିବ। ନିଜକୁ ସୁରକ୍ଷିତ ରଖିବା ସହ ପରିବାର, ଜାତି ଓ ଦେଶକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ। ଏହି ଲକଡାଉନ୍ ସମୟରେ ସମସ୍ତଙ୍କୁ ବ୍ୟକ୍ତିଗତ ଦାୟିତ୍ୱ ତୁଲାଇବାକୁ ପଡ଼ିବ। ଆମ ଉପରେ ନିର୍ଭରଶୀଳ ଗରିବ ଲୋକମାନଙ୍କ ଦାୟିତ୍ୱ ମଧ୍ୟ ମାନବିକତା ଦୃଷ୍ଟିରୁ ଗ୍ରହଣ କରିବା ଉଚିତ୍ ବୋଲି ଶ୍ରୀ ବାଗଚୀ କହିଛନ୍ତି। ଅବଶ୍ୟ ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ପାଇଁ ସାଧାରଣ ଲୋକମାନେ ବାହାରକୁ ଯାଇପାରିବେ। ହସ୍ପିଟାଲ, ବ୍ୟାଙ୍କ, ଏଟିଏମ୍‌, ପୌର ସେବା, ପୁଲିସ, ଅଗ୍ନିଶମ, ଓଡ୍ରାଫ, ପାନୀୟ ଜଳ, ବିଦ୍ୟୁତ ସେବା ସମେତ ଏସବୁ ସେବା ସହ ଜଡ଼ିତ ଥିବା ଘରୋଇ ଅଫିସଗୁଡ଼ିକ ମଧ୍ୟ ଖୋଲା ରହିବ । ତେବେ ଲକଡାଉନ୍ ନିୟମକୁ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ସମସ୍ତେ ସୁସ୍ଥ ରହିବାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି।

ଓଡ଼ିଶାରେ ଲକ୍ ଡାଉନ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଯଥାର୍ଥ ବୋଲି ଦର୍ଶାଇ ଶ୍ରୀ ବାଗଚୀ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆମେରିକାର ଆର୍ଥିକ ପ୍ରଦେଶ କାଲିଫର୍ଣ୍ଣିଆରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଯେଉଁଥିପାଇଁ ପ୍ରାୟ ସେହି ପ୍ରଦେଶର ୪କୋଟି ଲୋକେ ପ୍ରଭାବିତ ହେବେ।