ସଟ୍ ଡାଉନ୍ ପରେ ବାହାରକୁ ଗଲେ ପିନ୍ଧନ୍ତୁ ମାସ୍କ

ଭୁବନେଶ୍ୱର: ଆଉ କିଛି ସମୟ ପରେ ଶେଷ ହେବାକୁ ଯାଉଛି ସଟ୍ ଡାଉନ୍ । ଯାହା ପରେ ଶେଷ ହୋଇଯିବ ସଟ୍ ଡାଉନ୍ । ସଟ୍ ଡାଉନ୍ ଶେଷ ହେବା ପରେ ଜାରି ରହିବ ଲକ୍ ଡାଉନ୍ । ଏଥିପାଇଁ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି ସେତେବେଳେ ମାସ୍କ ପିନ୍ଧନ୍ତୁ । ବାହାରୁ ଘରକୁ ଫେରିଲେ ମାସ୍କକୁ ସଫା କରନ୍ତୁ । ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ସଟ୍‌ଡାଉନ୍ ଶେଷ ହୋଇଥିଲେ ବି ଲୋକଙ୍କୁ ଲକ୍‌ଡାଉନ୍ ନିୟମ ପାଳନ କରିବାକୁ ପଡ଼ିବ ।

ପୋଲିସ କମିସନର କହିଛନ୍ତି, ସଟ୍‌ଡାଉନ୍‌କୁ ଜନସାଧାରଣ ସଫଳ କରିଛନ୍ତି । ସଟ୍‌ଡାଉନ୍ ସରିବା ପରେ ମଧ୍ୟ ତାଲାବନ୍ଦ ପୂର୍ବଭଳି ଜାରି ରହିବ । ଆଜି ରାତି ୮ଟାରେ ସଟ୍‌ଡାଉନ୍ ଶେଷ ହେବା ପରେ ମଧ୍ୟ ଦୋକାନ ବନ୍ଦ ରହିବ । କାଲି ସକାଳୁ ଦୋକାନଗୁଡ଼ିକ ଖୋଲିବ । ତେଣୁ ରାତି ୮ଟା ପରେ ଲୋକମାନେ ବାହାରେ ଭିଡ ଜମାନ୍ତୁ ନାହିଁ । କାଲି ଲୋକମାନେ ଯେତେବେଳେ ଦୋକାନକୁ ଯିବେ, ସେ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ।

ଜନସାଧାରଣ ପୋଲିସକୁ ସହଯୋଗ କରନ୍ତୁ ବୋଲି ଶ୍ରୀ ଷଡ଼ଙ୍ଗୀ ଅପିଲ କରିଛନ୍ତି । ସେ କହିଛନ୍ତି, ପୋଲିସ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ ସମସ୍ତେ ପାଳନ କରନ୍ତୁ । କମିସନରେଟ ପୋଲିସ ଦ୍ୱାରା ଜାରି କରାଯାଇଥିବା ପାସଗୁଡ଼ିକ ସଠିକ ବ୍ୟବହାର କରାଯାଉ । ଯେଉଁମାନଙ୍କୁ ପାସ ମିଳିଛି, ସେମାନେ ଏହାର ସଠିକ ବ୍ୟବହାର କରନ୍ତୁ । ଯେଉଁମାନଙ୍କ ପାଖରେ ପୋଲିସ ପାସ ଅଛି, ସେମାନେ ଏହାର ଅପବ୍ୟବହାର କରନ୍ତୁ ନାହିଁ । କାରଣ ଅତ୍ୟାବଶ୍ୟକ ଥିବା ବ୍ୟକ୍ତିମାନଙ୍କୁ ରୁଟ ପାସ ଦିଆଯାଇଛି । ଏହା କେବଳ ସଂପୃକ୍ତ ବ୍ୟକ୍ତିମାନଙ୍କ ଘର ଠାରୁ ସେମାନଙ୍କର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚିବା ପାଇଁ । ସହରର ଚାରିଆଡେ ବୁଲିବା ପାଇଁ ପାସ ଜାରି କରାଯାଇ ନାହିଁ ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଭଦ୍ରକରେ ପ୍ରଥମେ ସଟ୍‌ଡାଉନ୍ ଆରମ୍ଭ ହୋଇଥିଲା । ୩ ତାରିଖ ରାତି ୮ଟାରୁ ୪୮ ଘଂଟା ପାଇଁ ଏହା ଲାଗୁ ହୋଇଥିଲା । ସଟ୍‌ଡାଉନ୍‌ର ଅବଧି ଆଜି ରାତି ୮ଟାରେ ଶେଷ ହୋଇଯିବ ।