ପୁଣି ମୁହାଁମୁହିଁ ହେଲେ କେଜ୍ରିୱାଲ-ଉପରାଜ୍ୟପାଳ

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀର କେଜ୍ରିୱାଲ ସରକାର ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। କରୋନା ପାଇଁ କେନ୍ଦ୍ର ସରକାର ଅନଲକ-୩ ଗାଇଡଲାଇନ ଜାରି କରିବା ପରେ ଦିଲ୍ଲୀ ସରକାର ମଧ୍ୟ ୨ଟି ବଡ଼ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ଉପରାଜ୍ୟପାଳ ବୈଜଲ ଏହା ଉପରେ ରୋକ ଲଗାଇ ଦେଇଛନ୍ତି।

କେଜ୍ରିୱାଲ ସରକାର ଆସନ୍ତାକାଲି ଠାରୁ ହୋଟେଲ ଗୁଡ଼ିକ ଖୋଲିବାକୁ ଅନୁମତି ଦେବା ସହ ପରୀକ୍ଷା ମୂଳକ ଭାବେ ସପ୍ତାହିକ ମାର୍କେଟ ଖୋଲିବାକୁ କହିଥିଲେ। ତେବେ କେନ୍ଦ୍ର ପାଇଁ ପ୍ରତିନିଧିତ୍ୱ କରୁଥିବା ତଥା ଦିଲ୍ଲୀ ବପିର୍ଯ୍ୟୟ ମ୍ୟାନେଜମେଣ୍ଟ ଅଥୋରିଟର ମୁଖ୍ୟ ଭାବେ କାର୍ଯ୍ୟକରୁଥିବା ବୈଜଲ ଏହି ଦୁଇ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କହିଛନ୍ତି। ଏହାକୁ ନେଇ କେଜ୍ରି ସରକାର ଓ ବୈଜଲଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୧୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୫,୫୯୮ରେ ପହଞ୍ଚି ଯାଇଛି। ସେହିପରି ଏଯାଏ ଦିଲ୍ଳୀରେ ୩,୯୬୩ ଜଣ ପ୍ରାଣ ହରାଇଛନ୍ତି।