୧୫ ବେଳକୁ ଆସିବ ଆଉ ଏକ ବାତ୍ୟା!, ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋବାକୁ ଯାଉଛି । ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଆଗାମୀ ୪୮ ଘଣ୍ଟା ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଭାରତ ମହାସାଗର ନିକଟରେ ଲଘୁଚାପ ବଳୟ ସୃଷ୍ଟି ହେବ । ଲଘୁଚାପର ରୂପରେଖ କଣ ହେବ ତାହା ସୋମବାରବେଳକୁ ଜଣାପଡିବ । ତେବେ କୁହାଯାଉଛି ଏହି ଲଘୁଚାପ ୧୩ ତାରିଖବେଳକୁ ଅବପାତର ରୂପନେବ । ୧୫ ତାରିଖବେଳକୁ ଏହା ଡିପ ଡିପ୍ରେସନରେ ପରିଣତ ହୋଇ ୧୫ ତାରିଖବେଳକୁ ବାତ୍ୟାର ରୂପନେବା ସମ୍ଭାବନା ରହିଛି ।

ଏହି ବାତ୍ୟାଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପୂର୍ବ ଓ ଦକ୍ଷିଣ ଭାରତ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ। ତେବେ କେଉଁ ରାଜ୍ୟ ଉପକୂଳକୁ ଛୁଇଁବ ତାହା ଏପର‌୍ୟ୍ୟନ୍ତ ଜଣାପଡ଼ୁ ନାହିଁ। ତଥାପି ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ଏହାର ପ୍ରଭାବ ରହିପାରେ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଲଘୁଚାପର ଗତି ନେଇ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ଅନ୍ତର୍ଜାତୀୟ ପାଣିପାଗ ଏଜେନ୍ସିମାନଙ୍କ ଆକଳନ ହେଉଛି ଯେ ୧୩ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ଲାଗିରହିବ। ଏଥିସହ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରି, ଲାକ୍ଷାଦୀପ, ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ବି ପ୍ରଭାବ ରହିବ। ୧୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଆସିବାର ସମ୍ଭାବନା ଅଧିକ ରହିଛି।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ ଲଘୁଚାପ କେଉଁ ଆଡ଼େ ଗତି କରିବ ଏବେ କହିବା କଷ୍ଟକର। ତଥାପି ଲଘୁଚାପର ପ୍ରଭାବ ୧୪ରୁ ୧୭ ପର‌୍ୟ୍ୟନ୍ତ ଓଡ଼ିଶା ଉପକୂଳରେ ପଡ଼ିବ। ଦକ୍ଷିଣ ଓଡ଼ିଶା‌ରେ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ବି ବର୍ଷାର ପ୍ରଭାବ ରହିବ। ଏବେ ଯେଉଁ ସ୍ଥିତି ରହିଛି ସେଥିରୁ ଜଣାପଡ଼ୁଛି ଯେ ବର୍ଷାର ପରିମାଣ ଅଧିକ ରହିବ।