ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ: ଆଜି ଭୋରରୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଂଚଳରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀରେ ସ୍ଥାନୀୟ ଲୋକେ ଲାଲୁଘାଇ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।ସେମାନେ ଉଭୟଙ୍କୁ ଚିହ୍ନି ପାରିଥିଲେ। ଏହାପରେ ସେମାନେ ଉଭୟ ଯୁବକ ଓ ଯୁବତୀଙ୍କ ଘରେ ଏସଂପର୍କରେ ସୂଚନା ଦେଇଥିଲେ। ତାପରେ ପୁଲିସକୁ ବି ଖବର ଦିଆଯାଇଥିଲା। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ପୋଲିସ ପହଂଚିଥିଲା । ପୋଲିସ ଦୁଇଟି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଉଭୟଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ସେଦୁହେଁ ପ୍ରେମିକ-ପ୍ରେମିକା ଥିଲେ ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଦୁଇ ପରିବାର ପ୍ରେମକୁ ଅସ୍ୱୀକାର କରିବାରୁ ସେଦୁହେଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।