ନର୍ସ ନୀହାରିକା ହତ୍ୟାକାଣ୍ଡ : ହତ୍ୟା କରିଥିବା ସ୍ୱୀକାର କଲା ପ୍ରେମିକ

କଟକ :  ବହୁଚର୍ଚ୍ଚିତ ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୁଲିସକୁ ମିଳିଛି ସଫଳତା।  ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନିଜ ପ୍ରେମିକା ନୀହାରିକାକୁ ତଣ୍ଟିଚିପି ହତ୍ୟା କରିଛି ପ୍ରେମିକ ରାଜା। ନିଜ ସାଙ୍ଗର କଟକସ୍ଥିତ ଭଡ଼ା ଘରେ ସେ ନୀହାରିକାକୁ ହତ୍ୟା କରିଥିବା ସ୍ୱୀକାର କରିଛି ।  ପୁଲିସ ନିକଟରେ ଜେରା ବେଳେ ସେ ଏକଥା ସ୍ୱୀକାର କରିଛି। ମିଳିଥିବା ସୂଚନା ଅନୁସାରେ, ନୀହାରିକାଙ୍କୁ ନର୍ସିହୋମରୁ ସାଙ୍ଗରେ ଆଣିବା ପରେ ଦୁହିଁଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା, ଯାହା ଫଳରେ ରାଜା ଉତକ୍ଷିପ୍ତ ହୋଇ ନୀହାରିକାଙ୍କ ତଣ୍ଟିଚିପି ଦେଇଥିବା ସ୍ୱୀକାର କରିଛି।

ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନର୍ସ ନୀହାରିକାର ପ୍ରେମିକ ରାଜା ଓରଫ କିଶୋର ଆଞ୍ଚଲ ହିଁ ହତ୍ୟାକାରୀ । କଟକର ଚାଉଳିଆଗଞ୍ଜର ଅପାଣିଆ ଅଂଚଳରେ ଏକ ଭଡ଼ାଘରେ ନୀହାରିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।  ହତ୍ୟାପରେ ରାଜା ଏକ ମୋଟର ସାଇକେଲରେ  ଅଖାରେ ନୀହାରିକାଙ୍କ ଶବକୁ ପୂରାଇ ନେଇ ଯାଇ ବିଲୁଆଖାଇ  ନଦୀ ପଠାରେ ଫିଙ୍ଗିଥିବା ଜଣାଯାଇଛି। ନୀହାରିକାଙ୍କ ଶବକୁ ଅଖାରେ ପୂରାଇ ନେବା ବେଳେ ପାଖରେ ଥିବା ଏକ ସିସିଟିଭିରେ ଏହା ରେକର୍ଡ ହୋଇଛି।

ନୀହାରିକାଙ୍କ ମୃତ୍ୟୁପରଠାରୁ ତାଙ୍କ ବୟଫ୍ରେଣ୍ଡ  ରାଜା ଫେରାର ଥିଲା । ଗତକାଲି ସେ ପୁଲିସ ନିକଟରେ  ଆତ୍ମସମର୍ପଣ କରିଥିଲା। ଏହାପରେ ପୁଲିସ ରାଜାକୁ ପଚରାଉଚରା କରିଥିଲା।  ତିନି ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନର୍ସ ନୀହାରିକାଙ୍କ ମୃତଦେହ ମିଳିଥିଲା । ନିହାରିକାଙ୍କ ଗାଁ ଭିଙ୍ଗାରପୁରରେ ବୋଲି ଜଣାଯାଇଛି।ସେ ୮ ତାରିଖରୁ ନିଖୋଜ ହୋଇଥିଲେ ଏବଂ ତାଙ୍କର ମୃତଦେହ  ୧୭ ତାରିଖରେ ମିଳିଥିଲା।  ହାତ ଗୋଡ଼ ବନ୍ଧା ହୋଇ ଏକ ଅଖା ଭିତରୁ ନୀହାରିକାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସଭାବେ କାମ କରୁଥିଲେ ନୀହାରିକା । ମୃତଦେହ ମିଳିବା ପରେ ତାଙ୍କ ପ୍ରେମିକ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା ।