ମହଙ୍ଗା ପଡିଲା ଫେସବୁକରେ ପ୍ରେମ : ବାହା ହେବାକୁ କହି ଗିପ୍ଟ ଦେବା ବାହାନାରେ ଯୁବତୀଙ୍କ ଠୁ ୪୦ ଲକ୍ଷ ଠକିନେଲେ ବିଦେଶୀ ଯୁବକ

ଭୁବନେଶ୍ୱର : ଫ୍ରେସବୁକ ଫ୍ରେଣ୍ଡଙ୍କ ସହ ଚାଟିଙ୍ଗ କରି ପ୍ରେମରେ ପଡିଛନ୍ତି କି ? ସାବଧାନ ଆପଣ ହୋଇ ପାରନ୍ତି ଲୁଟର ଶିକାର । ମିଠା ମିଠା କଥା କହି ଆପଣଙ୍କୁ ଫସେଇବେ । ତା ପରେ ବାହା ହେବାକୁ କହିବେ । ଏଥିରେ ରାଜି ହେଲେ ଆପଣଙ୍କ ପାଖକୁ ଗିଫ୍ଟ ପଠାଇବା କଥା କହି ସବୁ ଲୁଟି ନେବେ । ଏମିତି ଠକାମିର ଶୀକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଧନୀ ପରିବାର ଝିଅ । ଆଉ ୪୦ ଲକ୍ଷ ଯିବା ପରେ ସେ ଏବେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ତ ହୋଇ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ,  ୨୦୧୭ରେ ଡେଭିଡ୍‌ ଓସ୍କାର ନାମକ ଜଣେ ଇଂଲଣ୍ଡର ଯୁବକଙ୍କ ସହ ଫେସବୁକ୍‌ରେ ଉକ୍ତ ଯୁବତୀଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା। ଯୁବକ ଜଣକ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ବୋଲି ପରିଚୟ ଦେବା ସହ କୋଟି କୋଟି ଟଙ୍କାର  ସମ୍ପତ୍ତି ଥିବା କହିଥିଲେ। ପରେ ବିଭିନ୍ନ ସୋସିଆଲ୍‌ ମିଡିଆ ଓ ଫୋନ୍‌ ମାଧ୍ୟମରେ ଦୁହେଁ ସମ୍ପର୍କକୁ ବଢ଼ାଇଥିଲେ।   ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରିକି ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ଜୁଲାଇ ମାସରେ ଯୁବକ ଜଣକ ଯୁବତୀଙ୍କ ଜନ୍ମ ଦିନରେ କିଛି ଗିଫ୍ଟ ପ୍ୟାକେଟ୍‌ ପଠାଇଥିବା ତାଙ୍କୁ କହିଥିଲେ। ଉକ୍ତ ପ୍ୟାକେଟରେ ଲାପଟପ୍‌, ସୁନା ଗହଣା, ମୋବାଇଲ ଫୋନ୍‌ ସହ ୩୫ ହଜାର ପାଉଣ୍ଡ ଟଙ୍କା ଅଛି ବୋଲି ସେ କହିଥିଲେ।  ଏହାର କିଛି ଦିନ ପରେ ଏକ ଅଜଣା ଫୋନ୍‌ ନମ୍ବରରୁ ଯୁବତୀଙ୍କ ପାଖକୁ କଲ୍‌ ଆସିଥିଲା। କଲ୍‌ କରିଥିବା ଜଣେ ଯୁବକ  କାର୍ଗୋ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଇଂଲଣ୍ଡରୁ ଏକ ଗିଫ୍ଟ ପ୍ୟାକେଟ ଆସିଥିବା କହିଥିଲେ। ଉକ୍ତ ଗିଫ୍ଟ ପ୍ୟାକେଟ୍‌ ଦିଲ୍ଲୀ ବିମାନ ବନ୍ଦରରେ ରହିଛି, ଏହାକୁ ନେବାକୁ ହେଲେ  ୧୦ ଲକ୍ଷ ଟଙ୍କା ଜମା କରିବାକୁ କହି ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ଟଙ୍କା ଜମା କରିବାର ୧୫ ଦିନ ମଧ୍ୟରେ ଗିଫ୍ଟ  ପହଞ୍ଚତ୍ୟିବ ବୋଲି ଉକ୍ତ ଏଜେଣ୍ଟ ଜଣକ କହିଥିଲେ। ଏହିପରି ଭାବେ ୧୦ ଦିନ ମଧ୍ୟରେ ୪ଥର ଗିଫ୍ଟ ପ୍ୟାକେଟ୍‌ ଆସିଥିବା କହି ଉକ୍ତ ଏଜେଣ୍ଟ ଜଣଙ୍କ ଫୋନ୍‌ କରିଥିଲେ। ଯୁବତୀ ଜଣକ ମୂଲ୍ୟବାନ ଗିଫ୍ଟ ପାଇବା ଆଶାରେ  ମୋଟ  ୪୦ ଲକ୍ଷ ୧୩ ହଜାର ୨୦୦ ଟଙ୍କା ଜମା କରିଥିଲେ। ହେଲେ ଜୁଲାଇ ଶେଷ ସୁଦ୍ଧା କୌଣସି ଗିଫ୍ଟ ଆସି ନ ଥିଲା। ଯୁବତୀ ଜଣକ ଉକ୍ତ ଏଜେଣ୍ଟଙ୍କୁ ଫୋନ୍‌ କରି ପଚାରିବାରୁ ସେ ସମୟ ଗଡ଼ାଇ ଚାଲିଥିଲେ।  ଗତ କିଛିଦିନ ହେବ ଉକ୍ତ ଏଜେଣ୍ଟଙ୍କ ଫୋନ୍‌ ନମ୍ବର ସୁଇଚ୍‌ଅଫ୍‌ ରହିବାରୁ ଯୁବତୀ ଜଣକ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଲେ।