ନବୀନଙ୍କୁ ପ୍ରଦୀପ୍ତଙ୍କ ଚିଠି: ଓଡିଆ ଭାଷାରେ ହେଉ ସମସ୍ତ ସରକାରୀ କାର୍ଯ୍ୟ

ଭୁବନେଶ୍ବର: ପ୍ରହସନରେ ପରିଣତ ହୋଇଛି ଓଡିଶା ଭାଷାରେ ସରକାରୀ କାମ। ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାର ଓଡିଆ ଭାଷାରେ ସରକାରୀ କାମ ହେବ ବୋଲି ଘୋଷଣା କରିଥିଲେ। ଏନେଇ ଓଡିଶା ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ବର୍ତମାନ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି। ଘୋଷଣା କେବଳ ଘୋଷଣାପତ୍ରରେ ହିଁ ରହିଯାଇଛି। ଆଜି ମଧ୍ୟ ରାଜ୍ୟ ସରକାରଙ୍କର ଅଧିକାଂଶ ବିଭାଗରେ ସମସ୍ତ ସରକାରୀ କାର‌୍ୟ୍ୟ ଇଂରାଜୀ ଭାଷାରେ ହେଉଛି। ବିଡମ୍ବନାର ବିଷୟ ଯେ ଏଥିରୁ ବାଦ ପଡିନି ଖୋଦ ବିଧାନସଭା।

ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ପ୍ରାୟ ସମସ୍ତ ଚିଠି ଏବେ ବି ଇଂରାଜୀ ଭାଷାରେ ହେଉଛି । ଅନେକ ବିଭାଗର ସ୍ଥାୟୀ କମିଟିର ରିପୋର୍ଟ, ବିଚାର ବିଭାଗୀୟ ରିପୋର୍ଟ, ବିଭାଗୀୟ ଖର୍ଚ୍ଚଦାବି, କମିଶନ ରିପୋର୍ଟ, ଅଧ୍ୟାଦେଶ ଆଦି ଓଡିଆ ଭାଷାରେ ଲେଖା ଯାଉନାହିଁ। ଓଡିଆ ଭାଷା ପ୍ରତି ଏପରି ବୈମାତୃକ ମନୋଭାବ ପୋଷଣ ହେଉଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ବାରମ୍ବାର ଉଦବେଗ ପ୍ରକାଶ ପାଉଛି। ମାତ୍ର ସରକାରଙ୍କ ଓଡିଆ ଭାଷାରେ ସମ୍ପୂର୍ଣ୍ଣ ସରକାରୀ କାର‌୍ୟ୍ୟ ଘୋଷଣା କାହିଁକି କାର୍ଯ୍ୟକାରୀ ହେଉନାହିଁ, କାରଣ ଅସ୍ପଷ୍ଟ ରହିଛି।

ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଧାନସଭାରେ ସମସ୍ତ କାର‌୍ୟ୍ୟାବଳୀ ଓଡିଆ ଭାଷାରେ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି ସେ। ଲୋକସଭା ଭବନରେ ସମସ୍ତ କାର‌୍ୟ୍ୟ ଓଡିଆ ଭାଷାରେ ହେଉନାହିଁ। ନ୍ୟାୟାଳୟରେ ମୁଖ୍ୟ ଭାଷା ଭାବେ ଇଂରାଜୀର ବ୍ୟବହାର ହେଉଛି। ଫଳରେ ସରକାରୀ କାର୍ଯ୍ୟକ୍ରମ, ନ୍ୟାୟିକ ଘୋଷଣା ବୁଝିବାରେ ସାଧାରଣ ଲୋକେ ଭାଷାର ବାଧକତା କାରଣରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତା। ସେଥପାଇଁ ଓଡିଆ ଭାଷାକୁ ଏକ ନମ୍ବର ଓ ଇଂରାଜୀ ଭାଷାକୁ ଆବଶ୍ୟକ ପଡିଲେ ଦୁଇ ନମ୍ବର ଭାଷା ଭାବେ ବ୍ୟବହାର କରିବାକୁ ଦାବି କରିଛନ୍ତି ସେ।

ଓଡିଶା ଉଚ୍ଚ ନ୍ୟାୟାଳୟରେ ଓଡିଆ ଭାଷାରେ ବ୍ୟବହାର ସହ ରାଜ୍ୟର ସାଧାରଣ ଲୋକଙ୍କୁ ମାତୃଭାଷାରେ ନ୍ୟାୟ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ପ୍ରଦୀପ୍ତ ନାଏକ ଦାବି କରିଛନ୍ତି । ସରକାରୀ କାର‌୍ୟ୍ୟ ଦ୍ବାରା ଓଡିଆ ଭାଷାର ବ୍ୟବହାର ବୃଦ୍ଧିପାଇବ। ମୁଖ୍ୟମନ୍ତ୍ରୀ ସାଧାରଣ ଓଡିଆଙ୍କ ସ୍ବାର୍ଥକୁ ବିଚାରକୁ ନେଇ ସମସ୍ତ ସରକାରୀ କାର୍ଯ୍ୟ, ବିଚାର ବିଭାଗୀୟ ଓ ବିଧାନସଭା କାର୍ଯ୍ୟକ୍ରମ ଓଡିଆ ଭାଷାରେ ସମ୍ପାଦନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ବିରୋଧି ଦଳ ନେତା ଦାବି କରିଛନ୍ତି।