ଲଣ୍ଡନ: ଆତଙ୍କବାଦୀ ଆକ୍ରମଣରେ ୨ ମୃତ, ଆକ୍ରମଣକାରୀ ନିହତ

ଲଣ୍ଡନ: ଐତିହାସିକ ଓ ପ୍ରସିଦ୍ଧ ଲଣ୍ଡନ ବ୍ରିଜରେ ଶୁକ୍ରବାର ଅପରାହ୍ନରେ ଆତଙ୍କବାଦୀ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆକ୍ରମଣକାରୀକୁ ମଧ୍ୟ ନିହତ କରାଯାଇଛି । ପୋଲିସ କହିଛି ଯେ, ଶୁକ୍ରବାର ସଦିଗ୍ଧ ଆକ୍ରମଣକାରୀ ୨ ଜଣଙ୍କୁ ଲଣ୍ଡନ ବ୍ରିଜରେ ଛୁରାମାଡ଼ କରିଥିଲା । ଆକ୍ରମଣର ଶିକାର ହେବା ପରେ ୨ ଜଣ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କି ସେମାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ସ୍କଟଲାଣ୍ଡ ୟାର୍ଡର କାଉଣ୍ଟର ଟେରୋରିଜିମ ପୋଲିସିଙ୍ଗ ସହାୟକ ଆୟୁକ୍ତ ନୀଲ ବସୁ ଲଣ୍ଡନର ନ୍ୟୁ ସ୍କଟଲାଣ୍ଡ ୟାର୍ଡ ମୁଖ୍ୟାଳୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଏହି ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ଅବସ୍ଥା ଗୁରୁତର ଅଛି । ସେ କହିଛନ୍ତି, ମେଟ୍ରୋପଲିଟନ ପୋଲିସ ଫୋର୍ସ ଏହି ଆକ୍ରମଣକୁ ନେଇ ଘଟଣାର ତଦନ୍ତ କରୁଛି । କାଉଣ୍ଟର-ଟେରର ଅଧିକାରୀମାନେ କ୍ରମାଗତ ଭାବେ ସର୍ଚ୍ଚ ଅଭିଯାନ ଜାରି ରଖିଛନ୍ତି । ଏହା ଦ୍ୱାରା ଲୋକେ ସୁରକ୍ଷିତ ଭାବେ ଯିବା ଆସିବା କରିପାରିବେ ।

ଲଣ୍ଡନ ବ୍ରିଜ ଉପରେ ଛୁରାମାଡ଼ ଘଟଣା ସଂପର୍କରେ ଶୁକ୍ରବାର ଅପରାହ୍ନରେ ସୂଚନା ମିଳିଥିଲା । ଏହା ପରେ ମେଟ୍ରୋପଲିଟନ ପୋଲିସ ଏବଂ ସିଟି ଅଫ ଲଣ୍ଡନ ପୋଲିସର ଅଧିକାରୀ ଘଟଣାସ୍ଥଳରେ ପହଂଚି କାର୍ଯ୍ୟାନୁଷ୍ଠାନ ଦିଗରେ କାମ କରିଥିଲେ । ପୋଲିସ ଜଣେ ସଦିଗ୍ଧ ବ୍ୟକ୍ତିକୁ ନିହତ କରିଛି ବୋଲି ନୀଲ ବସୁ କହିଛନ୍ତି ।