କରୋନା ସଂକ୍ରମଣରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଲୋକପାଳ ସଦସ୍ୟ ତଥା ଛତିଶଗଡ଼ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି । ତାଙ୍କୁ ୬୩ବର୍ଷ ହୋଇଥିଲା । ସେ ନୂଆଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଜୟ ପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟର ଚିକିତ୍ସାଧୀନ ଥିଲେ। କିଛି ଦିନ ପୂର୍ବେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଚିକିତ୍ସା ଚାଲିଥିଲା । ଜଷ୍ଟିସ ତ୍ରିପାଠୀଙ୍କ ବିୟୋଗରେ ଲୋକପାଳ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଶୋକପ୍ରକାଶ କରିଛନ୍ତି । ଲୋକପାଳ ବ୍ୟବସ୍ଥାର ୪ ବିଚାର ବିଭାଗୀୟ ସଦସ୍ୟଙ୍କ ମଧ୍ୟରୁ ଜଷ୍ଟିସ ତ୍ରିପାଠୀ ଅନ୍ୟତମ ଥିଲେ । ସେ ୨୦୧୯ ମାର୍ଚ୍ଚ ୨୩ରେ ଏହି ପଦରେ ନିଯୁକ୍ତ ହୋଇଥିଲେ। ପୂର୍ବରୁ ସେ ପାଟନା ହାଇକୋର୍ଟର ବିଚାରପତି ଥିଲେ ।