ଏପ୍ରିଲ ୮ରୁ ରାଜ୍ୟରେ କାର୍ଯ୍ୟ କରିବେ ଲୋକାୟୁକ୍ତ : କାଲିଠୁ ବସିବ ଚୟନ କମିଟି

ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିଛନ୍ତି

ଭୁବନେଶ୍ବର : ଏପ୍ରିଲ ୮ରୁ ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟ କରିବେ । ମାର୍ଚ୍ଚ ଶେଷ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପକ୍ରିୟା ଶେଷ ହେବ । ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।  ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିଛନ୍ତି ।   ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିଛନ୍ତି ।  ପୂର୍ବରୁ ଓଡ଼ିଶା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗତବର୍ଷ ଅକ୍ଟୋବର ୨୪ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲା ଶୁଣାଣି କରିବା ପରେ ରାଜ୍ୟ ସରକାରଙ୍କ ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । କେବେ ଲୋକାୟୁକ୍ତ ନିଯୁକ୍ତି ହେବ, ସେ ନେଇ ସରକାର ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାପାଇଁ କହିଥିଲେ । ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିବା ସହିତ ମୁଖ୍ୟଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୁଅନ୍ତୁ ଏବଂ ଏହି ପ୍ରକ୍ରିୟା କେବେ ସାରିବେ ସେହି କଥା ଜଣାନ୍ତୁ  ବୋଲି ରୋକ୍ ଠୋକ୍  ଶୁଣାଇଥିଲେ । ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ୩ ମାସ ସମୟ ସୀମା ମାଗିଥିଲେ ହେଁ କୋର୍ଟ ତାହାକୁ ଅଗ୍ରାହ୍ୟ କରି ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ସରକାର ତୁରନ୍ତ ୭ ଜଣିଆ ଚୟନ କମିଟି ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ନାମ ଚୟନ ପାଇଁ ସ୍ବତନ୍ତ୍ର କମିଟି ବି ବଛାଯାଇଛି । କାଲି ବସିବ ଚୟନ କମିଟି ବୈଠକ ।