ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ

ନୂଆଦିଲ୍ଲୀ:  ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ପାରମ୍ପାରିକ ସିଟ ଆମେଥି ବ୍ୟତୀତ କେରଳର ୱାଇନାଡ଼ରୁ ନିର୍ବାଚନ ଲଢ଼ିବେ ରାହୁଲ । ଲୋକସଭା ନିର୍ବାଚନରେ ଦୁଇଟି ସ୍ଥାନରୁ ଏକ ସଙ୍ଗେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ ଅଧ୍ୟକ୍ଷ ସମ୍ମତି ପ୍ରଦାନ କରିଥିବା କଥା କଂଗ୍ରେସର ବରିଷ୍ଠ ନେତା ଏ କେ ଆଣ୍ଟୋନି ଜଣାଇଛନ୍ତି । ଆଜି ରାହୁଲ ଗାନ୍ଧୀ ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକରେ ରାଲିରେ ଜନତାଙ୍କୁ ସମ୍ବୋଧିତ କରିବେ ।

ଦକ୍ଷିଣ ଭାରତ ଉପରେ କଂଗ୍ରେସର ନଜର । ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀ ୨୦୧୯ର ନିର୍ଣ୍ଣାୟକ ଲଢେଇ ପାଇଁ କୌଣସି ରିସ୍କ ନୋବକୁ ଚାହୁଁ ନାହାନ୍ତି । ସେଥିଲାଗି ୟୁପିର ଆମେଠି ସମେତ କେରଳର ୱାଇନାଡ଼ରୁ ଲଢ଼ିବେ ରାହୁଲ । ଦକ୍ଷିଣ ଭାରତରେ ମୋଟ ୧୩୦ ଲୋକସଭା ଆସନ ରହିଛି । କର୍ଣ୍ଣାଟକକୁ ବାଦଦେଲେ ଅନ୍ୟ ଦକ୍ଷିଣ ରାଜ୍ୟରେ ବିଜେପି ସେଭଳି ଦୃଢ ସ୍ଥିତିରେ ନାହିଁ । ତେଣୁ ରାହୁଲ ଗାନ୍ଧି ଦକ୍ଷିଣରୁ ଲଢିଲେ ଭୋଟରଙ୍କ ମଧ୍ୟରେ ଭଲ ସନ୍ଦେଶ ଯିବ ବୋଲି ଚର୍ଚ୍ଚା ହେଉଛି ।  ବିଶେଷତଃ ଦକ୍ଷିଣ ଭାରତରେ ରାହୁଲ ନିଜର ଅସ୍ଥିତ୍ଵ ଜାହିର କରି ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସକୁ ହେଉଥିବା କ୍ଷତି ଭରଣା କରିବେ। ତେଣୁ ସ୍ୱତନ୍ତ୍ର ରଣନୀତି କରାଯାଇ ରାହୁଲଙ୍କୁ କେରଳରୁ ପ୍ରାର୍ଥୀ କରିଛି କଂଗ୍ରେସ । କେରଳରେ ବାମମେଂଟ , ଏଲଡିଏଫ ଓ କଂଗ୍ରେସ ମେଂଟ , ୟୁଡିଏଫ ମଧ୍ୟରେ ଟକ୍କର ହେଉଛି । ବିଜେପି ଏଠାରେ ତୃତୀୟ ଶକ୍ତି ଭାବେ ଉଭାହୋଇଛି । ତାମିଲନାଡୁରେ ଡିଏମକ-କଂଗ୍ରେସ ମେଂଟ କରିଥିବାବେଳେ ଏଆଇଏଡିଏମକେ ସହ ମେଂଟ କରିଛି ବିଜେପି । ଆନ୍ଧ୍ର ଓ ତେଲେଙ୍ଗାନାରେ କଂଗ୍ରେସ ଏକାକୀ ନିର୍ବାଚନ ଲଢୁଛି । କର୍ଣ୍ଣାଟକରେ କିନ୍ତୁ ବିଜେପିର ଭଲ ପ୍ରଭାବ ରହିଛି । ଏହି ରାଜ୍ୟରେ କଂଗ୍ରେସ-ଜେଡିଏସ ମେଂଟ କରିଥିବାବେଳେ ବିଜେପି ଏକାକୀ ନିର୍ବାଚନ ଲଢୁଛି ।

ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି । ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ କ୍ରମାଗତ ଭାବେ ତିନି ଥର ଉତ୍ତର ପ୍ରଦେଶର ଆମେଠି ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ।୨୦୦୪,୨୦୦୯,୨୦୦୧୪ରେ ସେ ନିର୍ବାଚନ ଜିତିଛନ୍ତି  । ପ୍ରଥମ ଥର ଏହି ସିଟରୁ ସେ ୨୦୦୪ ମେରେ ନିର୍ବାଚିତ ହୋଇଥିଲେ ।