୨୪ରେ ଜଣାପଡ଼ିବ ଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ !

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ମେ’ ୨୩ରେ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ୫୪୨ ଲୋକସଭା ଆସନ ପାଇଁ ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ। ପ୍ରଥମ ଥର ପ୍ରତି ବିଧାନସଭା ଆସନର ୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳା ଯିବ। ତେଣୁ ଗୁରୁବାର ରାତି ୧୨ଟା ସୁଦ୍ଧା ମତ ଗଣନା ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ରାତି ୧୨ଟା ସୁଦ୍ଧା ଫଳାଫଳର ଚିତ୍ର ସ୍ପଷ୍ଟ ନହୁଏ ତେବେ ୨୩ରେ ନୁହେଁ ୨୪ରେ ଫଳାଫଳ ପ୍ରକାଶ ପାଇବ।
ଚଳିତ ଥର ୫୪୨ ଲୋକସଭା ଆସନରେ ୮୦୦୦ରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୭ଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ ୯୦.୯୯ କୋଟି ଭୋଟରଙ୍କ ମଧ୍ୟରୁ ପାଖାପାଖି ୬୭.୧୧% ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ଭାରତର ଲୋକସଭା ନିର୍ବାଚନ ଇତିହାସରେ ଏହି ନିର୍ବାଚନରେ ସବୁଠୁ ଅଧିକ ମତଦାନ ହୋଇଛି। ଲୋକସଭା ନିର୍ବାଚନରେ ପ୍ରଥମ ଥର ଇଲେକ୍ଟ୍ରୋନିକ ଭୋଟିଂ ମେସିନ ସହ ଭିଭିପାଟ ସ୍ଲିପ୍‍ ମିଳା ଯାଉଛି। ଚଳିତ ଥର ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳା ଯିବ। ପ୍ରତି ଲୋକସଭା ଆସନରେ ୫ରୁ ୬ଟି ଲେଖାଏଁ ବିଧାନସଭା ଆସନ ରହିଛି। ତେଣୁ ପ୍ରତି ଲୋକସଭା ଆସନ ପାଇଁ ଅନ୍ୟୁନ୍‍ ୩୦ରୁ ୩୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବ। ଏହି ଆଧାରରେ ଦେଖାଗଲେ ୫୪୨ ଲୋକସଭା ଆସନ ପାଇଁ ୧୬ରୁ ୧୯ ହଜାର ବୁଥ୍‍ର ଇଭିଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବ। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‍ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବାରେ ଅନ୍ୟୁନ୍‍ ୪ରୁ ୫ ଘଣ୍ଟା ସମୟ ଲାଗିବ। ଏଭଳି ଦେଖିଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାରେ ବହୁ ବିଳମ୍ବ ହେବ।