ଓଡିଶାକୁ ଘାରିଲା ପଙ୍ଗପାଳ ଭୟ

ଭୁବନେଶ୍ୱର:ପୁଣି ଥରେ ଓଡିଶାକୁ ଘାରିଛି ପଙ୍ଗପାଳ ଭୟ । ମଧ୍ୟପ୍ରଦେଶ ଚାଲିଯାଇଥିବା ପଙ୍ଗପାଳ ଏବେ ପୁଣି ଥରେ ଛତିଶଗଡ ଫେରିଥିବା ନେଇ ସୂଚନା ମିଳିଛି । ତେବେ ପଙ୍ଗଳପାଳ ପାଇଁ ଆମେ ସତର୍କ ତଥା ପ୍ରସ୍ତୁତ ଅଛୁ ବୋଲି ରାଜ୍ୟସରକାରଙ୍କର କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଟ କହିଛନ୍ତି । ସେ କହିଛନ୍ତି ଯେ, ପଙ୍ଗପାଳ ଦଳ ନୂଆ କି ପୁରୁଣା ସେ ନେଇ ଗବେଷଣା କରାଯାଉଛି । ଛତିଶଗଡ଼କୁ ଲାଗିକି ଥିବା ଜିଲ୍ଲାମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ପ୍ରତିଦିନ ସନ୍ଧ୍ୟା ୫ଟାରେ ପଙ୍ଗପାଳଙ୍କ ଗତିବିଧିର ରିପୋର୍ଟ ଆସୁଛି । କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ପଙ୍ଗପାଳର ମୁକାବିଲା କରାଯାଉଥିବା କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଟ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ସୀମା ଦେଇ ଛତିଶଗଡ ମୁଁଗେଲିରେ ପଶିଛନ୍ତି । ଏମାନଙ୍କୁ ଘଉଡେଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏପଟେ ଛତିଶଗଡ ସୀମାନ୍ତବର୍ତୀ ଓଡିଶା ଗାଁରେ ଲୋକଙ୍କ ମନରେ ପଙ୍ଗପାଳକୁ ନେଇ ଭୟ ସଂଚାର ହୋଇଛି ।