ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଦୁଇ ସପ୍ତାହ ଲକ୍ ଡାଉନ୍ ବଢ଼ାଇ ପାରନ୍ତି । କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଲାଗି ସରକାର ଏପରି ପଦକ୍ଷେପ ନେଇ ପାରନ୍ତି । ପୁଣି ୨ ସପ୍ତାହ ଲକଡାଉନ୍ ବଢ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବିଚାରବିମର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ଘୋଷଣା କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆକଳନ କରାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏକ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ୨ ସପ୍ତାହ ଲକଡାଉନ୍ ବୃଦ୍ଧି ନେଇ ନିଷ୍ପତି କରିଥିବା ସୂଚିତ କରିଛନ୍ତି।
କରୋନାଭାଇରସ୍ ସଂକ୍ରମଣ ଜୁଆର ରୋକିବା ନିମନ୍ତେ ଦେଶବ୍ୟାପୀ ଘୋଷିତ ୨୧ଦିନିଆ ଲକଡାଉନ୍ ସମୟସୀମା ବୃଦ୍ଧି କରାଯିବ କି, ନାହିଁ ତାହାର ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଦିନ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଭିଡିଓ କନଫରେନସରେ ୧୧ ଜଣ ମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ। ସେ ମଧ୍ୟରୁ ୧୦ ଜଣ ମୁଖ୍ୟମନ୍ତ୍ରୀ ଦେଶରେ ଲକଡାଉନ୍ ଅବଧି ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।
ଦିଲ୍ଲୀ, ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର,କର୍ଣ୍ଣାଟକ,ବିହାର,ଛତିଶଗଡ଼,ରାଜସ୍ଥାନ,ଉତ୍ତରାଖଣ୍ଡ ଏବଂ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏପ୍ରିଲ୍ ୧୪ ପରେ ପୁଣି ଥରେ ଲକଡାଉନ୍ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପୂର୍ବରୁ ରାଜ୍ୟରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଇବା ସହ ସମଗ୍ର ଦେଶରେ ଏପରି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି। ବର୍ତମାନ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି। ଆକଳନ କରାଯାଉଛି କି ଦେଶରେ ପୁଣି ଲକଡାଉନ୍ ଅବଧି ବୃଦ୍ଧି ନେଇ ମୋଦୀ ଖୁବ୍ ଶୀଘ୍ର ଘୋଷଣା କରିବେ।