ତେଲେଙ୍ଗାନାରେ ମେ ୨୯ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି

ତେଲେଙ୍ଗାନା: କୋରୋନା ସଂକ୍ରମଣର ବିସ୍ତାରକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ଅବଧି ଠାରୁ ୧୨ ଦିନ ଲକଡାଉନ ଅବଧି ବଢାଇଛନ୍ତି ତେଲେଙ୍ଗାନା ସରକାର ।

ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତେଲେଙ୍ଗାନାରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ତେଲେଙ୍ଗାନାରେ ଏପର୍ଯ୍ୟନ୍ତ ଅତି କମରେ ୧,୦୯୬ ଟି କୋରୋନା ଭାଇରସ ରିପୋର୍ଟ ରହିଛି । ସଂକ୍ରମଣରେ ସମୁଦାୟ ୨୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୮୫ ଜଣ ଆରୋଗ୍ୟ ହୋଇଛନ୍ତି ।

ମଙ୍ଗଳବାର ସିଏମ ମନ୍ତ୍ରୀମଣ୍ଡଳ ସହ ମାରାଥନ ବୈଠକ ପରେ ଏହି ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ରାଜଧାନୀ ହାଇଦ୍ରାବାଦ ଏବଂ ଏହାର ପଡୋଶୀ ଜିଲ୍ଲା ରଙ୍ଗାରେଡ୍ଡୀ ଏବଂ ମାଲକାଜଗିରି-ମେଡାଚାଲ ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ରହିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାସହ ସମସ୍ତ ୩୩ ଟି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଜାରି କରିବାକୁ ସରକାର ନିଷ୍ପତି ନେଇଛନ୍ତି । ତେଲେଙ୍ଗାନାର ୩୩ଟି ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲା ରେଡ୍ ଜୋନ, ୧୮ ଟି ଅରେଞ୍ଜ ଜୋନରେ ଥିବାବେଳେ ୯ ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି ।