ଗୁଜୁରାଟରେ ଲକ୍‌ଡାଉନ୍‌ ନିୟମ ନ ମାନି ୮୦ ଜଣ ଓଡିଆ ଶ୍ରମିକ ଅଟକ

ଅହମ୍ମଦାବାଦ: ଲ୍‌କଡାଉନ୍‌ ନିୟମ ଉଲଂଘନ କରି ଗୁଜୁରାଟରେ ଅଟକ ହୋଇଛନ୍ତି ଅନେକ ଓଡିଆ ଶ୍ରମିକ । ଲକ୍‌ଡାଉନ୍‌ ନିୟମ ନମାନି ରାସ୍ତାରେ ଆସି ଜଳାପୋଡା କରିବା ଓ ଏକାଠି ହେବା ଅଭିଯୋଗରେ ପୋଲିସ ସେମାନଙ୍କୁ ଅଟକ ରଖିଛି ।

ପାଖାପାଖି  ୮୦ ଜଣ ଦାଦନ ଶ୍ରମିକ ଅଟକ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଓଡିଆ ବୋଲି ଜଣାପଡିଛନ୍ତି । ନିଜ ଘରକୁ ଫେରିବା ଜିଦ୍‌ରେ ସେମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ଟାୟାର ଜାଳିଥିଲେ । ଫଳରେ ଘଟଣାସ୍ଥଳରେ ପୋଲିସ ପହଂଚି ସେମାନଙ୍କୁ ଉଠାଇନେଇଛି ।

ସୁରଟର ଲସ୍କାନା ଅଂଚଳରେ ଥିବା ଅନେକ ଶ୍ରମିକ ଶୁକ୍ରବାର ରାତିରେ ରାସ୍ତାକୁ ଆସି ପ୍ରତିବାଦ କରିବା ସହ ଟାୟାର ଜାଳିଥିଲେ । ଏହା ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିବା ସହ ସେମାନଙ୍କୁ ଉଠାଇ ଆଣିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳକୁ ପୋଲିସ ଛାଉଣୀ କରାଯାଇଛି ।

ଲକ୍‌ଡାଉନ୍‌ ସମୟରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ଭଲ ଲାଗୁନି, ଆମକୁ ଧାଡିରେ ଛିଡା ହୋଇ ଖାଦ୍ୟ ଆଣିବାକୁ ପଡୁଛି, ତେଣୁ ଶୀଘ୍ର ଆମକୁ ଆମ ରାଜ୍ୟକୁ ପଠାଇଦିଅନ୍ତୁ କହି ସେମାନେ ଏହି ପ୍ରତିବାଦ କରିଥିବା ଗୁଜୁରାଟ ପୋଲିସ ପକ୍ଷରୁ କୁହାଯାଇଛି ।