ଲକଡାଉନ ୫.୦ ନିୟମରେ ସାମାନ୍ୟ ସଂଶୋଧନ କଲେ ରାଜ୍ୟ ସରକାର

ସ୍କୁଲ-କଲେଜ ବନ୍ଦ ରହିଲେ ବି ହୋଇପାରିବ ପରୀକ୍ଷା

ଭୁବନେଶ୍ୱର: ଲକଡାଉନ ୫.୦ ନିୟମ ନେଇ ରାଜ୍ୟ ସରକାର ସାମାନ୍ୟ ସଂଶୋଧନ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ରହିଲେ ବି ପରୀକ୍ଷା ହୋଇପାରିବ ବୋଲି ସରକାର କହିଛନ୍ତି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ । ତେବେ ପରୀକ୍ଷା କରାଯିବାକୁ ଅନୁମତି ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ସେହିଭଳି କୃଷି, ପଶୁପାଳନ ଓ ମତ୍ସ୍ୟପାଳନ ଓ ଚାଷ କାର୍ଯ୍ୟକୁ ବି ଅନୁମତି ମିଳିଛି ।

ସର୍ବସାଧାରଣ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଓ କଣ୍ଟେନମେଣ୍ଟ ଜୋନରେ କରୋନା ଭାଇରସ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୧୧ଟି ଜିଲ୍ଲା ଯଥା ଗଂଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାକୁ ଜୁନ ୩୦ ଯାଏଁ ସଟଡାଉନ ଘୋଷଣା କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ଶନିବାର ଓ ରବିବାର ପୂରା ସଟଡାଉନ ରହିବ ।

ସଟଡାଉନ ସମୟରେ ହସ୍ପିଟାଲ, କ୍ଲିନିକ, ନର୍ସିଂ ହୋମ, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଚାଲିବ । ସେହିଭଳି ଜିଲ୍ଲା ଓ ପୌରପାଳିକା, ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସକ୍ରିୟ ରହିବେ । ସେହିଭଳି ଟେଲିକମ ସେବା ବନ୍ଦ ହେବ ନାହିଁ । ପେଟ୍ରୋଲ ପମ୍ପ ଖୋଲିବ । କମିସନରେଟ ଓ ଜିଲ୍ଲା ପୁଲିସ ଦ୍ୱାରା ଚିହ୍ନଟ ପ୍ରିଣ୍ଟ ଓ ଇଲେକଟ୍ରୋନିକ ମିଡିଆର ପ୍ରତିନିଧି ଅଫସି କାମରେ ଯିବାଆସିବା କରିପାରିବେ । ଜଳ ଯୋଗାଣ, ସଫେଇ କାମ ହୋଇପାରିବ । ଜିନିଷ ପତ୍ର ପରିବହନ ହୋଇପାରିବ । ଶିଳ୍ପ ଓ କାରଖାନାରେ ଉତ୍ପାଦନ କାମ ଚାଲିବ ।

ସେହିଭଳି ଆଇଟି, ହୋଟେଲ ଓ ହସ୍ପିଟାଲିଟି ଖୋଲିବ । ରେଳ ଓ ବିମାନ ସେବାକୁ ଅନୁମତି ମିଳିଛି । ଜାତୀୟ ରାଜପଥରେ ଗାଡ଼ ଚଳାଚଳ କରିପାରିବ । ସାଧାରଣ ପରିବହନ ଯଥା, ଓଲା, ଉବେର ବିମାନବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ଓ ବସରହଣୀ ଠାରୁ ଚାଲିବ ।

ଅତି ଆବଶ୍ୟକ ନଥିଲେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ଶିଶୁ ଜୁନ ୩୦ ଯାଏଁ ବାହାରକୁ ନ ଯାଆନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।