ଉପନିର୍ବାଚନ : ବିଜାତଳାରେ ବିଜୟ ବାନା ଉଡ଼ାଇଲା ବିଜେଡି

ମୟୂରଭଂଜ : ମୟୂରଭଂଜ ଜିଲ୍ଲା ବିଜାତଳା ୩୨ ନଂ ଜିଲ୍ଲାପରିଷଦ ଜୋନ୍‌ ଉପନିର୍ବାଚନରେ ବାଜି ମାରିଲା ବିଜେଡି । ଏହି ଆସନକୁ ବିଜେପି ହାତରୁ ଛଡ଼ାଇ ନେଇଛି ଦଳ । ବିପୁଳ ଭୋଟରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ କୁତୁଲୁ ହାଁସଦାକୁ ୪୨୧୨ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତିି ବିଜେଡିର ରଘୁନାଥ ମାଝୀ । ବିଜେଡି ପ୍ରାର୍ଥୀ ରଘୁନାଥଙ୍କୁ ୮୮୭୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପାଇଛନ୍ତି ୪୬୨୩ ଖଣ୍ଡ ଭୋଟ । ଜେଏମଏମ ପ୍ରାର୍ଥୀ ମୀନା ସୋରେନ ୨୭୬୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଛୋଟରାୟ ମାରାଣ୍ଡି ୩୨ ନଂ ଜୋନ ନିର୍ବାଚନରେ ବିଜୟୀ ହୋଇଥିଲେ । ତାଙ୍କ ପରଲୋକ ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପି କ୍ଲିନସୁଇପ କରିଥିବା ବେଳେ ଏହି ଉପନିର୍ବାଚନ ଫଳାଫଳ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ଥିଲା । ଏହି ଆସନକୁ ବିଜେଡି କବଜା କରିଥିବା ବେଳେ ଜିଲ୍ଲାରେ ବିଜେପିର ସ୍ଥିତି ଖସିଛି । ଏଥିସହ ବିଜେପୁର ବିଧାନସଭା ଉପନିର୍ବାଚନରୁ ବିଜେଡିର ବିଜୟ ଅଭିଯାନ କାଏମ ରହିଛି । ବିଜାତଳା ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜୟ ପରେ ଦଳୀୟ କର୍ମୀମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି ।
ଯାଜପୁର

ବଡ଼ଚଣା ବ୍ଲକ୍‌ ଗୋପାଳପୁର ପଞ୍ଚାୟତ ସମିତି ସଭ୍ୟ ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିଜେଡି ସମର୍ଥିତ ପ୍ରାର୍ଥୀ ଉପାସନା ପାତ୍ର ୧୫୮୦ ଖଣ୍ଡ ଭୋଟ୍‌ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିବେଦିତା ସାମଲଙ୍କୁ ପରାସ୍ତ କରିଛନ୍ତି । ଜିତିବା ପରେ ଉପାସନାଙ୍କୁ ବିପୁଳ

ସମ୍ବର୍ଦ୍ଧନା ଦିଆଯାଇଛି ।
କେନ୍ଦୁଝର 

ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ଉପନିର୍ବାଚନ ଫଳ ପ୍ରକାଶ ପାଇଛି । ସନ୍ଧ୍ୟାରାଣୀ ନାଏକ ୪୫୯ ଖଣ୍ଡ ଭୋଟରେ ନିକଟତମ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ଆଜି ସକାଳ ୮ଟାରୁ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ କଡା ସୁରକ୍ଷା ବଳୟରେ ଗଣତି ଆରମ୍ଭ ହୋଇଥିଲା । ଏହି ନିର୍ବାଚନରେ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦତା କରୁଥିଲେ । ସନ୍ଧ୍ୟାରାଣୀ ନାଏକ ବିଧାୟକ ସନାତନ ମହାକୁଡଙ୍କ ଜନସମୃଦ୍ଧ ପାର୍ଟିର ସମର୍ଥିତ ପ୍ରାର୍ଥୀ ।