ସ୍ବାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ Liquid Medical Oxygen ସଂପକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହିସବୁ ପ୍ଲାଣ୍ଟରୁ ସେବା ଯୋଗାଇ ଦିଆଯାଇପାରିବ।

ଆଜି ଭିତ୍ତିପ୍ରସ୍ତର ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା – ଅନୁଗୁଳ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଭବାନୀପାଟଣା ଓ ନୂଆପଡା । ପ୍ରତ୍ୟେକ ସଂରକ୍ଷଣ ବ୍ୟବସ୍ଥାରେ ୬ କିଲୋଲିଟର ତରଳ ଅକ୍‌ସିଜେନ ସଂରକ୍ଷଣ ଓ ବଣ୍ଟନ କରାଯାଇପାରିବ । ଏହାସହିତ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ଉପଖଣ୍ଡ ହସ୍‌ପିଟାଲରେ ଅକ୍‌ସିଜେନ ପାଇପ ସଂଯୁକ୍ତ କୋଭିଡ ୱାର୍ଡ; ପାଲଲହଡା ଉପଖଣ୍ଡ ହସ୍‌ପିଟାଲ, ମାଧପୁର ଓ କିଶୋରନଗରର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଠାକୁରମୁଣ୍ଡା ଓ ବଇଣ୍ଡାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍‌ସିଜେନ ପାଇପ ସଂଯୁକ୍ତ ଆଇସୋଲେସନ୍‌ ୱାର୍ଡ, ଓ ତା ସହିତ ଦେବଗଡ ରାଜମୁଣ୍ଡାସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକା ଭଣ୍ଡାର ଗୃହର ଉଦ୍‌ଘାଟନ କରିଛନ୍ତି ।

 

ମହାମାରୀ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସରକାରଙ୍କ ସର୍ବାଧିକ ପ୍ରାଥମିକତା

ପ୍ରଥମ ଓ ଦ୍ବିତୀୟ ଲହରର ଅଭିଜ୍ଞତା ଆମକୁ ତୃତୀୟ ଲହରର ମୁକାବିଲାରେ ସାହାଯ୍ୟ କରିବ – ମୁଖ୍ୟମନ୍ତ୍ରୀ

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା । ଜଣେ ବି କୋଭିଡ ରୋଗୀ ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ଆମେ କାମ କରୁଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ମାନଙ୍କୁ ପୁଣିଥରେ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ପ୍ରଥମ ଓ ଦ୍ବିତୀୟ ଲହରରୁ ଆମେ ଯେଉଁ ଅଭିଜ୍ଞତା ପାଇଛୁ, ତୃତୀୟ ଲହରର ମୁକାବିଲାରେ ତାହା ଆମ ପାଇଁ ନିଶ୍ଚୟ ସହାୟକ ହେବ। ଏହାସହିତ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ କାମ ହେଉଛି, ତାହାଦ୍ବାରା କୋଭିଡ ବିରୁଦ୍ଧରେ ଆମର ଲଢେଇ ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର, ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବୌଦ୍ଧ ବିଧାୟକ ଶ୍ରୀ ପ୍ରଦୀପ ଅମାତ, ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ ଶ୍ରୀ କିଶନ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Liquid Medical Oxygen plants work states all dist of odisha