ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମମୋଦନ

ଅଧୀଗୃହୀତ ସମସ୍ତ ଜମି ଲିଙ୍ଗରାଜଙ୍କ ନାମରେ ରେକର୍ଡ କରାଯିବ, ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଂଚଳ ଫଳକରେ ରଖାଯିବ

ଭୁବନେଶ୍ୱର: ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ଅଧିଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଅଧୀଗୃହୀତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ଅଂଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ନିମନ୍ତେ ମନ୍ଦିର ଚାରିପଟେ ଥିବା ଅଂଚଳର ବିକାଶ ନିମନ୍ତେ ଏକାମ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି । ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଂଚଳର ୬୫ ଏକର ପରିମିତ ଅଂଚଳରେ ଏହି ସୁବିଧା ସୁଯୋଗର ବିକାଶ କରାଯିବ । କ୍ଷତିଗ୍ରସ୍ତ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦିଆଯିବ । ସେଗୁଡିକ ହେଲା:

୧-ଆବାସିକ ଅଂଚଳ: ସ୍ଥିତିବାନ ସତ୍ୱରେ ନିର୍ମିତ ବାସଗୃହ ଗୁଡିକୁ ଓଡ଼ିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ । ସେମାନଙ୍କୁ ଜମି ବଦଳରେ ଜମି ଦିଆଯିବ । ତୁରନ୍ତ ସହାୟତା ଯେପରିକି ସ୍ଥାନାନ୍ତର ନିମନ୍ତେ ପ୍ରତି ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ । ଘରଭଡା ନିମନ୍ତେ ଜମି ଅଧିଗ୍ରହଣ ହେବାଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ହଜାର ଲେଖାଏଁ ମାସିକ ସହାୟତା ଯୋଗାଇ ଦିଆଯିବ । ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତା ଦିଆଯିବ ।

୨-ବାଣିଜ୍ୟିକ ପ୍ରତିଷ୍ଠାନ: ସ୍ଥିତିବାନ ସତ୍ୱରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକୁ ଓଡ଼ିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ । ଦୋକାନ ଘର ମାଲିକଙ୍କୁ ସେମାନଙ୍କର ପରିବହନ ଖର୍ଚ୍ଚ ଓ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ ଲକ୍ଷ ଟଙ୍କା ଏକକାଳୀନ ଦିଆଯିବ । ୨୦୦ ବର୍ଗମିଟର କିମ୍ବା ତାଠାଣୁ କମ୍ ଯାଗାରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ହଜାର ଟଙ୍କା ଘରଭଡା ସହାୟତା ଏବଂ ୨୦୦ବର୍ଗମିଟର ବା ତାଠାରୁ ଅଧିକ ଯାଗାରେ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ଘରଭଡା ସହାୟତା ଦିଆଯିବ । ସୁଲଭତା ଦରରେ ବଜାର ଦରର ୫୦ ପ୍ରତିଶତ ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ । ଅନ୍ୟ ୫୦ ପ୍ରତିଶତ ମୂଲ୍ୟ ରାଜ୍ୟ ସରକାର ବହନ କରିବେ । ଦୋକାନ ହରାଉଥିବା ପ୍ରତି ବ୍ୟକ୍ତ ନିର୍ମିତ ହେବାକୁ ଥିବା ମାର୍କେଟ କମ୍ପେ୍ଲକସରେ ନୂଆ ଦୋପାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ସେମାନେ ଏହାର ବଜାର ଦରର ୫୦ ପ୍ରତିଶତ ମୂଲ୍ୟରେ କ୍ରୟ କରିପାରିବେ । ଦୋକାନ ମାଲିକମାନେ ଚାହିଁଲେ ଏକାକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ଭାବେ ନେଇପାରିବେ ।

୩-ଉଠା ଦୋକାନୀଙ୍କ ଥଇଥାନ: ତାଲିକାଭୁକ୍ତ ଉଠାଦୋକାନୀମାନଙ୍କୁ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଯୋଗାଇ ଦିଆଯିବ । ୨ଟି କିସ୍ତିରେ ସେମାନେ ଏହି ରାଶି ପାଇପାରିବେ । ଆବଶ୍ୟକତା ଅନୁଯାୟୀ ଭେଣ୍ଡିଂ ପ୍ଲାନ କରାଯାଇ ଉଠାଦୋକାନୀଙ୍କୁ ବ୍ୟବସାୟ ପାଇଁ ଆବଶ୍ୟକ ସ୍ଥାନ ଆବଂଟନ କରାଯିବ ।

୪-ସରକାରୀ କାର୍ଯ୍ୟାନୁଷ୍ଠାନ ଓ ପ୍ରତିଷ୍ଠାନ ସହାୟତା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ହିତାଧିକାରୀମାନଙ୍କ ସହିତ ଆଲୋଚନା କରି ବିସ୍ଥାପିତ ହେବାକୁ ଥିବା ମଠ ଗୁଡିକୁ ଜମି ଆବଂଟନ, ସଂରକ୍ଷଣ ଆଦି କାର୍ଯ୍ୟ ସମ୍ପର୍କରେ ଭୁବନେଶ୍ୱର ମହାନିଗମ କମିଶନର ସ୍ଥିର କରିବ । ପ୍ରତି ମଠର ପୁନର୍ବିନ୍ୟାସ ସମୟରେ ଏହାର ପୂର୍ବ ଢ଼ାଂଚାକୁ ଗୁରୁତ୍ୱ ଦିଆଯିବ । ଏହି ଥଇଥାନ ଓ ପୁନର୍ବାସ ନୀତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନାକ୍ରମେ ଭୁବନେଶ୍ୱର ମହାନଗର ନିଗମର କମିଶନ କାର୍ଯ୍ୟକାରୀ କରିବେ । ଏହି ଯୋଜନା ନିମନ୍ତେ ପାଣ୍ଠି ଭୁବନେଶ୍ୱର ମହାନଗର ନିଗମଙ୍କ ତତ୍ୱାବଧାନରେ ରହିବ । ୬ମାସ ମଧ୍ୟରେ ପ୍ରକଳ୍ପକୁ ଶେଷ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତେଣୁ ଅଧିଗ୍ରହଣ ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଯଦି କ୍ଷତିଗ୍ରସ୍ତ ବ୍ୟକ୍ତି ସ୍ୱେଚ୍ଛାରେ ତାଙ୍କର ଜମି ପ୍ରଦାନ କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୧୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ଭାବରେ ପ୍ରଦାନ କରାଯିବ ।