ସୋମବାର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦ : ରାସ୍ତାରେ ନିଆଁ ଜାଳି ଉଠା ଦୋକାନୀଙ୍କ ପ୍ରତିବାଦ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଶୁକ୍ରବାର ରାସ୍ତା ଓସାର ପାଇଁ ଅନନ୍ତ ବାସୁଦେବ ମନ୍ଦିରର ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗା ଯାଇଛି। ହେଲେ ବଡ଼ ଧରଣର ଉଚ୍ଛେଦ ସୋମବାର ହେବାକୁ ଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ ଏକ ପ୍ରଚାର ଗାଡ଼ି ବୁଲି ପ୍ରଚାର କରିଛି। ଏଥିରେ ଯଦିଓ ରାସ୍ତା କଡ଼ ଜବରଦଖଲ କରିଥିବା ଦୋକାନୀଙ୍କୁ ଉଠିଯିବାକୁ କୁହାଯାଇଛି କିନ୍ତୁ ବିଏମ୍‌ସି, ବିଡିଏ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ଅମିନଙ୍କ ଦ୍ବାରା ମାପଚୁପ ହୋଇ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକୁ ବୁଲଡୋଜର୍‌ ଲଗାଇ ଭାଙ୍ଗିବାକୁ ପ୍ରଶାସନ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ କମିସନରେଟ୍ ପୁଲିସ୍‌କୁ ଆବଶ୍ୟକ ଫୋର୍ସ ଯୋଗାଇ ଦେବାକୁ କୁହାଯାଇଛି।

ସୋମବାର ବଡ଼ ଧରଣର ଉଚ୍ଛେଦ ହେବାକୁ ପ୍ରଚାର ହେବା ପରେ ଆଜି ବ୍ୟବସାୟୀ ସଂଘ, ସ୍ଥାନୀୟ ଲୋକ ଏବଂ ୧୨ସାହିର ମୁରବି ମେଳି ବାନ୍ଧିଛନ୍ତି। ଯେପରି ପ୍ରଶାସନ ତାଙ୍କ ଦୋକାନ ଓ ଘର ଉପ‌ରେ ହାତ ନ ମାରିବ, ସେନେଇ ସଜବାଜ ହୋଇଛନ୍ତି। ଏପରିକି ଉଠା ଦୋକାନୀମାନେ ରାସ୍ତାରେ ଟାୟାର ଜାଳି ଉଚ୍ଛେଦକୁ ପ୍ରତିବାଦ କରିଥିଲେ। ପୁଲିସ ଆସି ବୁଝାସୁଝା କରିବା ପରେ ସେମାନେ ବିକ୍ଷୋଭରୁ ହଟିଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ବୁଝାସୁଝା କରିବା ସହ ପ୍ରଶାସନକୁ ପୁରୀ ଭଳି କଠୋର ପଦକ୍ଷେପ ନ ନେବାକୁ ଚେତାବନୀ ଦେଇଥିଲେ।

ଶନିବାର ଓ ରବିବାର ଏହି ଉଚ୍ଛେଦ କରିବାକୁ ଯୋଜନା ହୋଇଥିଲେ ହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ଯୋଗୁଁ ଏହି ଉଚ୍ଛେଦ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି।