ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦ ଜାରି

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଜବରଦଖଲ ଅଂଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ୧୧ଟାରୁ ଏହା କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରଥମେ ମନ୍ଦିରର ଦୁଆର ପାଖରେ ଥିବା କ୍ୟାବିନ ଭଙ୍ଗାଯାଇଥିବାବେଳେ ଏହାପରେ ଉତର ପାଶ୍ୱର୍ରେ ଥିବା ଉଠାଦୋକାନ ଏବଂ କୋଠାକୁ ଭଙ୍ଗାଯାଉଥିବା ସୂଚନା ମିଳିଛି । ତେବେ ଏହି ଜବରଦଖଲ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ଶନିବାର ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱରେ ସରକାରୀ ଜମିକୁ ଜବରଦଖଲ କରି ନିର୍ମାଣ ହୋଇଥିବା ଦୋକାନ, କୋଠା ଆଦିକୁ ଭଙ୍ଗାଯିବ ବୋଲି ବିଡିଏ, ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲା।

ଏହି ପ୍ରଚାର ପରେ ଗତକାଲି ସ୍ଥାନୀୟ ଅଞ୍ଚଳରେ ଶତାଧିକ ଉଠାଦୋକାନୀ ନିଜର କ୍ୟାବିନକୁ ଉଠାଇ ନେଇଥିଲେ। ଏପରିକି ସ୍ଥାୟୀ ଦୋକାନୀମାନେ ଆଗକୁ ବଢ଼ାଇ ନିର୍ମାଣ କରିଥିବା ଲୁହାର ଆଙ୍ଗେଲ, ଟିଣ, ଆଜବେଷ୍ଟସ୍ ଆଦିକୁ କାଢ଼ି ଦେଇଥିଲେ। ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଯେଉଁ ଅନୁସାରେ ଚିହ୍ନ ଦିଆଯାଇଥିଲା ସେହି ଅନୁଯାୟୀ ଗତକାଲି କିଛି ଦୋକାନୀ ଅସ୍ଥାୟୀ ନିର୍ମାଣକୁ କାଢ଼ିଥିଲେ । ତେବେ ବ୍ୟବସାୟୀ ସଂଘର ସମ୍ପାଦକ ଅନୁପ ମହାପାତ୍ର ପ୍ରଶାସନକୁ ଚେତାବନୀ ଦେଇଥିଲେ ଯେ ସ୍ଥାୟୀ ଘର କି ଦୋକାନ ଭାଙ୍ଗିଲେ ନିଆଁ ଜଳିବ। କିଛି ଉନ୍ନତିମୂଳକ କାମ କରାଇ ଦିଆଯିବ ନାହିଁ ବୋଲି ବି ସେ ଧମକ ଦେଇଥିଲେ।