ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ କୁଲଦୀପଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଉତରପ୍ରଦେଶ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାକୁ ନେଇ ଦିଲ୍ଲୀର ତିସହଜାରୀ କୋର୍ଟ ଆଜି ଦଣ୍ଡ ଶୁଣାଇଛନ୍ତି । କୋର୍ଟ ତାଙ୍କର ରାୟ ପ୍ରକାଶ କରି କହିଛନ୍ତି ଯେ, ଦୋଷୀ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ଗତ ଡିସେମ୍ବର ୧୬ ତାରିଖରେ ଆଇପିସିର ଧାରା ୩୭୬ ଏବଂ ପୋକ୍‌ସୋ ଆଇନର ଧାରା ୫ ଏବଂ ୬ ଅଧୀନରେ କୋର୍ଟ ସେଙ୍ଗର୍‌ଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ଦଣ୍ଡଶୁଣାଣି କରିବା ପରେ ସମଗ୍ର ଦେଶରେ ଆନନ୍ଦ ପ୍ରକାଶ ପାଇଛି ।

୨୦୧୭ରେ ଉନ୍ନାଓ ନାବାଳିକା ସେଙ୍ଗରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟ ବାରମ୍ବାର ପୋଲିସରେ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟପୋଲିସ  ଅଭିଯୋଗ ଗ୍ରହଣ କରି ନଥିଲା। ସେଙ୍ଗର ସ୍ଥାନୀୟ ଅଂଚଳର ଜଣେ ଟାଣୁଆ ନେତା ହୋଇଥିବାରୁ ପୁଲିସ ଅଭିଯୋଗ ରଖି ନ ଥିଲା ‌ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ତେବେ ସେଙ୍ଗରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତା ବାରମ୍ବାର ଦାବି କରିବା ପରେ ତାଙ୍କ ବାପାଙ୍କୁ ସେଙ୍ଗରଙ୍କ ଭାଇ ଗୁଣ୍ଡା ଲଗାଇ ମାରପିଟ୍‌ କରିଥିଲା ଏବଂ ତାଙ୍କୁ ମିଥ୍ୟା ମାମଲାରେ ଏପ୍ରିଲ ୩ରେ ଗିରଫ କରି ଜେଲ୍‌ ପଠ‌ା ଯାଇଥିଲା। ଶେଷରେ ଉନ୍ନାଓ ପୀଡ଼ିତା ଉପାୟଶୂନ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଏପ୍ରିଲ ୯ ତାରିଖରେ ଜେଲ୍‌ ହାଜତରେ ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଉକ୍ତ ଘଟଣାରେ  ବିଧାୟକ ସେଙ୍ଗର, ତାଙ୍କ ଭାଇ ଅତୁଲ ଏବଂ ଅନ୍ୟ ୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ପ୍ରଥମେ ଅତୁଲକୁ ଗିରଫ କରିଥିଲା। । ତେବେ ପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ସେଙ୍ଗରଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା ଏବଂ ଏହି ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା।