୨୦୦୭ ଫୈଜାବାଦ ବିସ୍ଫୋରଣ ମାମଲା: ୨ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ

ଅଯୋଧ୍ୟା: ୨୦୦୭ ମସିହାରେ ଫୈଜାବାଦ, ଲକ୍ଷେ୍ନø ଏବଂ ବାରଣାସୀରେ ହୋଇଥିବା ସିରିଏଲ ବିସ୍ଫୋରଣରେ ସାମିଲଥିବା ୨ ଆତଙ୍କବାଦୀଙ୍କୁ ଏକ ସ୍ୱତନ୍ତ୍ର ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ପ୍ରତ୍ୟେକଙ୍କ ପିଛା ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ତେବେ ସେମାନେ ହେଲେ ମହମ୍ମଦ ତାରିକ୍ ଏବଂ ମହମ୍ମଦ ଅଖତର । ୩ୟ ଅଭିଯୁକ୍ତ ସଜ୍ଜାଦୁର ରେହମନଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

୧୨ ବର୍ଷ ଧରି ତଦନ୍ତ ଓ ବିଚାର ଚାଲିଥିବା ଏହି ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍‌ ଅଶୋକ କୁମାର। ୨୦୦୭ ମସିହା ନଭେମ୍ବର ୨୩ ତାରିଖ ଦିନ ଫୈଜାବାଦର ଏକ ଅଦାଲତରେ ବୋମା ବିସ୍ଫୋରଣ ହେବା ପରେ ସେମାନଙ୍କୁ ଧରାଯାଇଥିଲା।

ଫୈଜାବାଦ ବାର୍‌ ଆସୋସିଏସନ୍‌ର ସଭାପତି ବିଜୟ ବାହାଦୁର ସିଂହ କହିଛନ୍ତି: ଉଚିତ ରାୟ ଦିଆଯାଇଛି। ସେମାନେ ଫୈଜାବାଦ ବିସ୍ଫୋରଣରେ ସମ୍ପୃକ୍ତ ଥିଲେ। ବାରାଣସୀ ଏବଂ ଲକ୍ଷ୍ନୌରେ ମଧ୍ୟ ବିସ୍ଫୋରଣ ଘଟିଥିଲା। ଗୋଟିଏ ଟିମ୍‌ର ହୋଇଥିବାରୁ ସବୁ ବିସ୍ଫୋରଣକାରୀଙ୍କର ପାରସ୍ପରିକ ଯୋଗସୂତ୍ର ଥିଲା। ଏହି ବିସ୍ଫୋରଣ ଘଟଣାରେ ୪ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା ଓ ଅନ୍ୟ ୨୬ ଜଣ ଆହତ ହୋଇଥିଲେ।