ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣିଥରେ ଆର୍ମି ୟୁନିଫର୍ମ ପିନ୍ଧିବାର ଦେଖିବାକୁ ମିଳିବ। ସେ ଜୁଲାଇ ୩୧ରୁ କଶ୍ମୀରରେ ଥିବା ୧୦୬ ଟେରିଟୋରିଆଲ୍ ଆର୍ମି ବାଟାଲିୟନ୍ (ପାରା)ରେ ଯୋଗ ଦେବେ। ସେନା ପକ୍ଷରୁ କୁହାଯାଇଛି ଯେ, ଲ୍ୟୁଟନାଣ୍ଟ କର୍ଣ୍ଣେଲ୍ ଧୋନି ଜୁଲାଇ ୩୧ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନିଜ ବାଟାଲିୟନରେ ସାମିଲ୍ ହେବେ। ଏହି ୟୁନିଟ୍ କଶ୍ମୀରରେ ମୁତୟନ ଅଛି। ବାଟାଲିୟନରେ ଯୋଗ ଦେବା ପରେ ଧୋନି ଯବାନଙ୍କ ସହ ଗାର୍ଡ, ପୋଷ୍ଟ ଡ୍ୟୁଟି, ପାଟ୍ରୋଲିଂ ଭଳି କାମ ସମ୍ଭାଳିବେ।
ଧୋନି ପୂର୍ବରୁ ମଧ୍ୟ ଜମ୍ମୁ-କଶ୍ମୀର ଗସ୍ତ କରିସାରିଛନ୍ତି। ୨୦୧୭ରେ ଧୋନି ଜମ୍ମୁ-କଶ୍ମୀରର ବାରମୁଲା ଯାଇଥିଲେ, ଯେଉଁଥିରେ ସେ ଆର୍ମି ଦ୍ୱାରା ଆୟୋଜିତ କ୍ରିକେଟ୍ ମ୍ୟାଚରେ ଅତିଥି ଭାବେ ଯୋଗଦେଇଥିଲେ। ଧୋନି ଏହି ମ୍ୟାଚକୁ ଆର୍ମି ୟୁନିଫର୍ମ ପିନ୍ଧି ଦେଖିବାକୁ ଯାଇଥିଲେ। ସୂଚନାଯୋଗ୍ୟ, ୨୦୧୧ରେ ଧୋନିଙ୍କୁ ଇଣ୍ଡିଆନ୍ ଟେରିଟୋରିଆଲ୍ ଆର୍ମିରେ ଲ୍ୟୁଟନାଣ୍ଟ କର୍ଣ୍ଣେଲ୍ ରାଙ୍କ୍ ଦିଆଯାଇଥିଲା। ଆର୍ମି ପ୍ରତି ଧୋନିଙ୍କ ଭଲପାଇବା ସମସ୍ତଙ୍କୁ ଜଣା। ଧୋନି ଟିମ୍ ଇଣ୍ଡିଆକୁ ସବୁ ଫର୍ମାଟରେ ଶିଖରରେ ପହଞ୍ଚାଇଛନ୍ତି। କିନ୍ତୁ ରାଞ୍ଚିର ଏହି ବାସିନ୍ଦା କ୍ରିକେଟର୍ ନୁହେଁ ବରଂ ଅନ୍ୟ କିଛି ହେବାକୁ ଚାହୁଁଥିଲେ। ଧୋନି ଏକ ସାକ୍ଷାତକାରରେ କହିଥିଲେ ଯେ ସେ ପିଲାଦିନରୁ ହିଁ ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ।