କେନ୍ଦୁଝର: ଜଣେ ପୁତୁରା ନିଜ ପିଉସୀକୁ ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗାଁରେ । ମୃତ ମହିଳାଙ୍କ ନାମ ରାଇବାରୀ ଦେହୁରୀ ହୋଇଥିବାବେଳେ ଅଭିଯୁକ୍ତଙ୍କ ନାମ ଶ୍ରୀକାନ୍ତ ଦେହୁରୀ ।
ସୂଚନା ଅନୁଯାୟୀ, ରାଇବାରୀ ତାଙ୍କ ଘର ପାଖରେ ଏକ ବଗିଚା କରିଥିଲେ। ହେଲେ ଅନେକ ସମୟରେ ତାଙ୍କ ପୁତୁରା ଶ୍ରୀକାନ୍ତଙ୍କ ଛେଳି ବଗିଚାରେ ପଶି ଗଛ ସବୁ ଖାଇ ଦେଉଥିଲେ। ଏହାକୁ କେନ୍ଦ୍ର କରି ବହୁ ସମୟରେ ପିଉସୀ ଓ ପୁତୁରାଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।
ଗତକାଲି ଅପରାହ୍ଣରେ ଶ୍ରୀକାନ୍ତଙ୍କ ଛେଳି ରାଇବାରୀଙ୍କ ବଗିଚାରେ ପଶି ଫସଲ ନଷ୍ଟ କରିଥିଲା। ଏହାକୁ ନେଇ ରାଇବେରୀ ଶ୍ରୀକାନ୍ତଙ୍କୁ ଗାଳି କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀକାନ୍ତ ରାଇବାରୀ ଧରିଥିବା ଠେଙ୍ଗାକୁ ଛଡ଼ାଇ ଆଣି ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ରାଇବେରୀଙ୍କୁ ପରିବାର ଲୋକେ ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ପୁତୁରାକୁ ପୋଲିସ ଗିରଫ କରିଛି।