ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା ନିମନ୍ତେ ହସପିଟାଲମାନଙ୍କରେ ଏଲ୍ଇଡି ଡିସ୍ପ୍ଲେ ବୋର୍ଡ ଉନ୍ମୋଚିତ

ଭୁବନେଶ୍ୱର:ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସଚେତନତା ବୃଦ୍ଧି ତଥା ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଅପ୍ଡେଟ୍ ସୂଚନା ଲୋକଙ୍କ ନିକଟରେ ପହଚାଂଇବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏବଂ ଅନ୍ୟ ଡାକ୍ତରଖାନା ପରିସରରେ ଏଲଇଡି ଡିସପ୍ଲେ ବୋର୍ଡ ଉନ୍ମୋଚିତ କରିଛନ୍ତି । ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଲୋକଙ୍କର ସଚେତନତା ବୃଦ୍ଧି, ଲୋକଙ୍କର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିବା ବ୍ୟବହାରରେ ପରିବର୍ତନ, ସୁସ୍ଥ ରହିବା ନିମନ୍ତେ ସଠିକ୍ ଅଭ୍ୟାସଗୁଡିକୁ ଆପଣାଇବା ପାଇଁ ପ୍ରୋତ୍ସାହନ, ବ୍ୟବହାର ପରିବର୍ତନ ଦ୍ୱାରା ଜନସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ମିଳୁଥିବା ସୁଫଳକୁ ଲୋକଙ୍କ ନିକଟରେ ପହଚାଂଇବା, ତଥା ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟର ମୋଟ ୧୨ଟି ସ୍ଥାନରେ ଏକାଥରକେ ଆଜି ଏହି ବୋର୍ଡଗୁଡିକୁ ଉନ୍ମୋଚିତ କରାଯାଇଛି । ଆଧୁନିକ ଟେକ୍ନୋଲୋଜିର ବ୍ୟବହାରରେ ଏକା ସାଙ୍ଗରେ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର , ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍, ବାରିପଦା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୀ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର, କଟକ, ଶିଶୁ ଭବନ, କଟକ ଶ୍ରୀ ରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ କଟକ , ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ୍, ବ୍ରହ୍ମପୁର ଓ ଭିମ୍ସାର ବୁର୍ଲା ଠାରେ ଏହି ଏଲଇଡି ଡିସ୍ପ୍ଲେ ବୋର୍ଡ ଉନ୍ମୋଚିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମ୍ୟାଲେରିଆ, କୀଟ ନାଶକ ସିଚଂନ, ଔଷଧୀୟ ମଶାରୀ ବ୍ୟବହାର , ଚେଙ୍କ, ଗର୍ଭବସ୍ଥାର ଲକ୍ଷଣ, ସ୍ତନ୍ୟପାନ, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ୱ, ଉଚ୍ଚ ରକ୍ତଚାପ,ଡାଇରିଆ, ଟିବି, ହାତଧୁଆ,ଶୌଚାଳୟ ବ୍ୟବହାର, ନିରାପଦ ଖାଦ୍ୟ ଓ ପାନୀୟ ଜଳ ବ୍ୟବହାର, ତମ୍ବାଖୁ ସେବନ ଠାରୁ ଦୂରେଇ ରହିବା, ଚକ୍ଷୁ ଦାନ, ଏଚ୍ଆଇଭି/ଏଡ୍ସ,କୁଷ୍ଠ, ଡେଙ୍ଗୁ, ଡାଇବେଟିସ୍, ୧୦୮ ଓ ୧୦୨ ଆମ୍ବୁଲାନ୍ସ, ନିରାମୟ, ଆମ କ୍ଲିନିକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ସମ୍ବଳିତ ଅଡିଓ ଭିଜୁଆଲ ସ୍ପଟ ପ୍ରଦର୍ଶିତ ହେବ । ପର୍ଯ୍ୟାୟକ୍ରମେ ଏହି ବୋର୍ଡ ଗୁଡିକରେ ବିଭିନ୍ନ ଜନସାଧାରଣଙ୍କର ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ସଂକ୍ରାନ୍ତ ସୂଚନା ପ୍ରଦର୍ଶନ କରାଯିବ ।

ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଆୟୋଜିତ ଉକ୍ତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ରାଜ୍ୟ ମେଡିକାଲ ନିଗମ ଏମ୍ଡି ୟାମିନୀ ଷଢଙ୍ଗି , ଯୁଗ୍ନ ସଚିବ ଗୁହା ପୁନମ୍ ତାପସ କୁମାରଙ୍କ ସମେତ ବିଭାଗର ସ୍ୱତନ୍ତ୍ର ସଚିବ , ନିର୍ଦ୍ଦେଶକ ବୃନ୍ଦ , କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଆଦି ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।