“ସୂରଜ ଯୋଜନା” ରେ ପ୍ରିୟଙ୍କାଙ୍କ ପରିବାରକୁ କରାଯିବ ସମ୍ମାନିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୃତ୍ୟୁବରଣ କରିବା ପରେ ନିଜ କିଡନୀ ଦାନ କରି ୨ଜଣ ରୋଗୀଙ୍କୁ ନୂତନ ଜୀବନ ଦେଇଥିବା ଦିଂବଗତ ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଂଶସା କରିଛନ୍ତି । ଏଥିସହ ତାଙ୍କ ପରିବାରକୁ “ସୂରଜ ଯୋଜନା” ରେ ସମ୍ମାନିତ କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଏହାବ୍ୟତୀତ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦିଂବଗତ ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ସଫଳ କିଡନୀ ପ୍ରତିରୋପଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲର୍‌ ସମସ୍ତ ଡାକ୍ତର ଏବଂ ତାଙ୍କ ଟିମ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆପୋଲୋ ହସ୍ପିଟାଲରେ ‘ବ୍ରେନ୍‌ ଡେଡ୍‌’ ଘୋଷିତ ପ୍ରିୟଙ୍କାରାଣୀ ପାତ୍ରଙ୍କ ଶରୀରରୁ ଗୋଟାଏ କିଡନୀ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଏକ କିଡନୀ ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ଅନ୍ୟ ଜଣେ ପୁରୁଷ ରୋଗୀଙ୍କ ଠାରେ ପ୍ରତିରୋପଣ କାଯାଇଛି।

ଏହା ହେଉଛି ଓଡ଼ିଶାରେ ପ୍ରଥମ “କାଡାଭେରିକ୍ ଟ୍ରାନ୍ସପ୍ଲାଂଟ” (ମୃତ ଦେହରୁ ଅଙ୍ଗପ୍ରତ୍ୟଙ୍ଗ କାଢ଼ି ଜୀବନ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବା) ଘଟଣା।