ମିଳିଲା ସିସିଡି ମାଲିକଙ୍କ ହାତ ଲେଖା ଚିଠି: ଋଣରେ ବୁଡ଼ିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ: ‘କାଫେ କଫି ଡ଼େ’ ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ନିଖୋଜ ଖବର ଉପରୁ ଏବେ ଧିରେ ଧିରେ ପରଦା ଉଠିବାରେ ଲାଗିଛି । ସେ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ସେପଟେ ସେ ବହୁତ ଋଣରେ ବୁଡ଼ି ଥିବା ଜଣାପଡ଼ିଛି । ନିଖୋଜ ହେବା ପୂର୍ବରୁ ସେ ନିଜର କର୍ମଚାରୀ ଓ ନିର୍ଦ୍ଦେଶକମାନଙ୍କୁ ଲେଖିଥିବା ଚିଠିରୁ ସ୍ପଷ୍ଟ ହୋଇଛି । ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ସାହାଯ୍ୟ ମାଗିଛନ୍ତି । ଯେଉଁ ଚିଠିକୁ ବିଜେପି ସାଂସଦ ଶୋଭା କରନ୍ଦଲାଜେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ଦେଇଛନ୍ତି । 

ଏହା ସହିତ ସିଦ୍ଧାର୍ଥ ଜୁଲାଇ ୨୭ରେ ସିସିଡିର କର୍ମଚାରୀ ଓ ନିର୍ଦ୍ଦେଶକମଣ୍ଡଳୀଙ୍କୁ ଚିଠି ମଧ୍ୟ ଲେଖିଚନ୍ତି । ସମସ୍ତ ଆର୍ଥିକ ନେଣଦେଣ ତାଙ୍କର ଦାୟିତ୍ୱ ଅଟେ । ଆଇନ କେବଳ ମୋତେ ହିଁ ଦଣ୍ଡିତ କରିବା ଦରକାର । ସେ ଲେଖିଛନ୍ତି, ‘‘ଯେଉଁମାନେ ତାଙ୍କୁ ଭରସା କରିଥିଲେ ସେମାନଙ୍କୁ ନିରାଶ କରିଥିବାରୁ କ୍ଷମା ମାଗୁଛି । ମୁଁ ବହୁତ ସମୟ ଧରି ଲଢ଼ୁଥିଲି କିନ୍ତୁ ଆଜି ହାର ମାନୁଛି ।’’ ତାଙ୍କୁ ତାଙ୍କର ଜଣେ ବିଜ୍‌ନେସ୍‌ ପାର୍ଟନର୍‌ ହଇରାଣ ହରକତ କରୁଥିବା ଚିଠିରୁ ଜଣାପଡ଼ୁଛି । ବିଜ୍‌ନେସ୍‌ ପାର୍ଟନର ତାଙ୍କ ଅଂଶ ଫେରାଇ ନେବାକୁ ବାଧ୍ୟ କରୁଥିଲେ । ଯାହାର ଅଧା ଟଙ୍କା ଦେବାକୁ ସେ ତାଙ୍କ ଜଣେ ବନ୍ଧୁଙ୍କଠାରୁ ୬ ମାସ ପୂର୍ବରୁ ଋଣ ନେଇଥିଲେ । କାହାକୁ ଅନ୍ଧାରରେ ରଖିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ପରିସ୍ଥିତିରେ ପଡ଼ି ବ୍ୟବସାୟରେ ବିଫଳ ହୋଇଛନ୍ତି । ଦିନେ ତାଙ୍କୁ ସମସ୍ତେ ଠିକ୍‌ ବୁଝିବେ ଓ କ୍ଷମା କରିଦେବେ ବୋଲି ଚିଠିରେ ଲେଖିଛନ୍ତି । ଏହା ସହିତ ଚିଠିରେ ସେ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେଇଛନ୍ତି । ଏହି ଅର୍ଥରେ ବାକି ଟଙ୍କା ପରିଶୋଧ କରି ହେବ ବୋଲି କହିଛନ୍ତି । 

ସେହିପରି ଆୟକର ବିଭାଗର ପୂର୍ବତନ ଡିଜିଙ୍କ ଉପରେ ପ୍ରତାଡ଼ନାର ଅଭିଯୋଗ କରିଛନ୍ତି ସିଦ୍ଧାର୍ଥ । ଜଣେ ପୂର୍ବତନ ଡିଜି ତାଙ୍କର ସୋୟାରକୁ ଦୁଇ ଦୁଇ ଥର ଜବତ କରିଥିବା ସେ କହିଚନ୍ତି । ଯେଉଁଥିପାଇଁ ତାଙ୍କର ଡିଲ୍‌ ବନ୍ଦ ହୋଇଗଲା । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ସିଦ୍ଧାର୍ଥ ଡ୍ରାଇଭରଙ୍କୁ ମାଙ୍ଗାଲୁରୁ ନିକଟ ଜେପିନା ମୋଗାରୁ ଠାରେ ମାଙ୍ଗାଲୁରୁ ନିକଟ ନେତ୍ରାବତୀ ନଦୀ ଉଲ୍ଲା ବ୍ରିଜ ଉପରେ ଅଟକିବା ପାଇଁ କହିଥିଲେ । ଏହା ପରେ ସେ କାରରୁ ଓହ୍ଲାଇ କିଛି ସମୟ ପରେ ନିଖୋଜ ହୋଇଯାଇଥିଲେ । ଏ ନେଇ ଡ୍ରାଇଭର ପୋଲିସକୁ ଖବର ଦେଇଥିଲେ । ଜଣେ ବ୍ୟକ୍ତି ନଦୀକୁ ଡେଇଁ ପଡ଼ିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।