ଭାଇ ଭଉଣୀଙ୍କୁ ମନା ଲଙ୍କା ମୀନାର

ଉତରପ୍ରଦେଶର କଲ୍ପିରେ ରହିଛି ୨୧୦ ଫୁଟ୍ ଉଚ୍ଚ ‘ଲଙ୍କା ମୀନାର୍’ । ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି । ମୀନାରକୁ ନେଇ ରହିଛି ଏକ ରୋଚକ କଥା । କୁହାଯାଏ, ଏହା ଭିତରକୁ ଭାଇଭଉଣୀ ଏକତ୍ର ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି । ଭାବୁଥିବେ ଏଭଳି ନିୟମ ପଛର ରହସ୍ୟ କ’ଣ? ପ୍ରକୃତରେ ମୀନାର ନିର୍ମାଣଶୈଳୀ ଏହି ନିୟମ ପାଳନ ପାଇଁ ବାଧ୍ୟ କରିଛି । ମୀନାରର ତଳୁୂ ଉପରକୁ ଯିବା ପାଇଁ ହେଲେ ସାତଥର ପରିକ୍ରମା କରିବାକୁ ପଡ଼ିଥାଏ । ଯାହା କେବଳ ପତିପତ୍ନୀଙ୍କ ପାଇଁ ଉଦ୍ଦିଷ୍ଟ । ତେଣୁ ଏଠାକୁ ଭାଇଭଉଣୀ ଏକତ୍ର ଆସିପାରନ୍ତି ନାହିଁ । ମୀନାରର ନିର୍ମାଣ ମଥୁରା ପ୍ରସାଦ କରିଥିଲେ; ଯିଏକି ରାମଲୀଳାରେ ସର୍ବଦା ରାବଣଙ୍କ ଚରିତ୍ର ନିର୍ବାହ କରୁଥିଲେ । ରାବଣଙ୍କ ଭୂମିକା କରି କରି ସେ ଏତେମାତ୍ରାରେ ଚରିତ୍ର ଭିତରେ ବୁଡ଼ିଗଲେ ଯେ, ଲଙ୍କା ନିର୍ମାଣ ପାଇଁ ମନ ବଳାଇଲେ । ୧୮୭୫ରେ ମଥୁରା ପ୍ରସାଦ ନିଗମରେ ରାବଣଙ୍କ ସ୍ମୃତିରେ ଏହି ମୀନାର ନିର୍ମାଣ କଲେ । ଶଙ୍ଖ, କଉଡ଼ି ଆଦିରେ ସେ ଏହି ମୀନାର ନିର୍ମାଣ କରିଛନ୍ତି । ଏଥିପାଇଁ ତାଙ୍କୁ ୨୦ବର୍ଷ ସମୟ ଲାଗିଥିଲା । ମୀନାର ମଧ୍ୟରେ ଶହେ ଫୁଟ୍ ଲମ୍ବର କୁମ୍ଭକର୍ଣ୍ଣ ଏବଂ ୬୫ ଫୁଟ୍ ଲମ୍ବର ମେଘନାଦଙ୍କ ପ୍ରତିମା ରହିଛି । ସେହିପରି ମୀନାର ସମ୍ମୁଖରେ ଭଗବାନ ଚିତ୍ରଗୁପ୍ତ ଏବଂ ଭଗବାନ ଶଙ୍କରଙ୍କ ମୂର୍ତୀ ରହିଛି । ମନ୍ଦିରର ନିର୍ମାଣ ଏଭଳି ଭାବେ କରାଯାଇଛି ଯେ ଭଗବାନ ଶିବଙ୍କୁ ୨୪ ଘଣଅଟା ଦର୍ଶନ କରିହେବ ।