ବଢିଲା ଶ୍ରମିକଙ୍କ ମଜୁରୀ,ତିନି ବର୍ଷ ପରେ ୪୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଶ୍ରମିକଙ୍କ ପାଇଁ ଏକ ଖୁସି ଖବର ଘୋଷଣା କରିଛନ୍ତି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର ବଢୁଥିବାର ସୂଚନା ମିଳୁଛି । ତେବେ ତିନି ବର୍ଷ ପରେ ଶ୍ରମିକଙ୍କ ଏହି ସର୍ବନିମ୍ନ ମଜୁରୀ ହାରରେ ସଂଶୋଧନ ହୋଇଛି । ସଂଶୋଧନ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜି ଓଡ଼ିଶା ସରକାରଙ୍କ ତରଫରୁ ସାରା ରାଜ୍ୟ ପାଇଁ ସର୍ବନିମ୍ନ ମଜୁରୀ ହାର ସଂଶୋଧନ ବିଜ୍ଞାପନକୁ ଗେଜେଟରେ ପ୍ରକାଶ କରାଗଲା ।ସୂଚନାଯୋଗ୍ୟ ଏନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇ ମାସ ମଧ୍ୟରେ ସମ୍ପର୍କିତ ସଂସ୍ତା ଓ ବ୍ୟକ୍ତିବିଶେଷଙ୍କ ଠାରୁ ଏନେଇ ପ୍ରସ୍ତାବ ଗ୍ରହଣ କରାଯାଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ତେବେ ସର୍ବନିମ୍ନ ମଜରୁୀ ସଂଶୋଧନ ପରେ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୨୦୦ଟଙ୍କାରୁ ୨୮୦କୁ ବୃଦ୍ଧି କରାଯାଇଥିବା ବେଳେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀକୁ ମୋଟ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଦ୍ଧକୁଶଳୀ ଶ୍ରମିଙ୍କ ଦୈନିକ ମଜୁରୀ ୨୨୦ରୁ ୩୨୦ ଅର୍ଥାତ୍ ୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାସହ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନମ୍ନ ମଜରୀ ୨୪୦ ଟଙ୍କାରୁ ୩୭୦ ଅର୍ଥାତ୍ ୫୪ ପ୍ରତିଶତ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାନଙ୍କ ଦୈନିକ ସର୍ବନିମ୍ନ ମଜୂୁରୀ ୨୬୦ରୁ ୪୩୦ ଅର୍ଥାତ୍ ୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାସହ ୧୫ଟି ନିୟୋଜନର ଠିକା କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ମଧ୍ୟ ମଜୁରୀ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଦରବୃଦ୍ଧି , ଖାଉଟି ମୂଲ୍ୟସୂଚୀ ବଜାର ଦର ଏବଂ ପଡ଼ୋଶୀ ରାଜ୍ୟମାନଙ୍କର ସର୍ବନିମ୍ନ ମଜରୁୀକୁ ଦୃଷ୍ଟିରେ ରଖି ସର୍ବନିମ୍ନ ମଜୁରୀର ସଂଶୋଧନ କରାଯାଇଛି । ଓଡ଼ିଶାକୁ ସମୃଦ୍ଧ ଭାବେ ଗଢ଼ି ତୋଳିବାକୁ ଶ୍ରମିକଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ । ଏଥିପାଇଁ ରାଜ୍ୟସରକାର ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ଆର୍ଥିକ ଓ ସାମାଜିକ ବିକାଶକୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିସହ ଶ୍ରମିକମାନଙ୍କୁ ସାଇକେଲ ବଣ୍ଟନ ପାଇଂ ମଧ୍ୟ ସୂଚନା ଦେଇଚନ୍ତି ।