ମଣିଷ ଖିଆକୁ ଧରିବାକୁ ଯାଇ ମଣିଷ ମାରିଲା ଯଶୋଦା

ଅନୁଗୋଳ : ଅପରେସନ ସୁନ୍ଦରୀ ପାଇଁ ସାତକୋଶିଆ ଯାଇଥିବା ଯଶୋଦା ହାତୀର ଉନ୍ମତ୍ତ କାଣ୍ଡ । ଅନୁଗୋଳ ପୁରୁଣାକୋଟ ରେଞ୍ଜରେ ଜଣଙ୍କୁ ଦଳି ମାରିଦେଲା ଯଶୋଦା    ମୃତକ ସୁଦୂର ପଧାନ  ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର  କରିଛି  ଯଶୋଦା  2012 ରେ ତାର ମାହନ୍ତୁକୁ ବି ଆକ୍ରମଣ କରିଥିଲା  

ମଣିଷ ଖିଆକୁ ଧରିବାକୁ ଯାଇ ମଣିଷ ମାରିଲା ଯଶୋଦା ।  ସୁନ୍ଦରୀକୁ ଧରିବାକୁ ସାତକୋଶିଆ ଅଭୟାରଣ୍ୟ ଯାଇଥିବା ହାତୀ ଯଶୋଦାର ଆକ୍ରମଣରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସାତକୋଶିଆ ପୁରୁଣାକୋଟ ମୁଣ୍ଡା ସାହିର ସୁଦୂର ପଧାନ ।  ଯଶୋଦା ନାଳରେ  ଗୋଧାଇବା ପରେ ନାଳ ନିକଟ ବାଉଁଶ ବୁଦା ପାଖରେ ବନ୍ଧା ଯାଇଥିଲା ।  ନାଳରୁ ମାଛମାରି ସେହିବାଟେ ଫେରୁଥିବା ସୁଦୂର ଯଶୋଦା ହାବୁଡ଼ରେ ପଡ଼ିଯାଇଥିଲେ। ସେପଟେ ଆଉକିଛି ଲୋକଙ୍କ କହିବା ଅନୁଯାୟୀ ସୁଦୂର ହାତୀକୁ ଏକ କଦଳୀଗଛ ଖାଇବାକୁ ଦେବା ବେଳେ ଯଶୋଦା ରାଗିଯାଇ ତାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ସୁଦୂରଙ୍କର ମୃତ୍ୟୁ ହୋଇଯାଇଥିଲା ।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦାବିରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ବନ ବିଭାଗ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା କମିଥିଲା । ପୁରୁଣାକୋଟ୍‌ ପୋଲିସ ମୃତଦେହ ଜବତକରି ତଦନ୍ତ କରୁଛି ।

ସାତକୋଶିଆରେ ଦୁଇ ଜଣଙ୍କୁ ମାରିବା ପରେ ବେଶ୍ କିଛି ଦିନ ଧରି ସୁନ୍ଦରୀ ଆତଙ୍କ ମଚାଇଥିଲା ।  ସୁନ୍ଦରୀକୁ ଠାବ କରି, ଟ୍ରାଙ୍କୁଲାଇଜ୍ କରିବା କାର୍ଯ୍ୟରେ ସାମିଲ ହୋଇଥିଲା ଚନ୍ଦକା କୁମକି ଯଶୋଦା। ତେବେ ସୁନ୍ଦରୀ ସିନା ଧରାପଡ଼ିଲା କିନ୍ତୁ ଯଶୋଦାର ରାଗର ଶିକାର ହୋଇଛନ୍ତି ଆଉଜଣେ ସାତକୋଶିଆ ବାସିନ୍ଦା।.