ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶ ଦାୟିତ୍ୱ ନେଲେ କୃପାସିନ୍ଧୁ ମିଶ୍ର

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ। ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇ ବିଭାଗରେ ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ପରାମର୍ଶ ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ ସମୟରେ ଶ୍ରୀ ମିଶ୍ରଙ୍କୁ ବିଭାଗୀୟ ବରିଷ୍ଠ ପଦାଧିକାରୀ ତଥା କର୍ମଚାରୀମାନେ ଲୋକସମ୍ପର୍କ ଭବନଠାରେ ସ୍ୱାଗତ ଜଣାଇଥିଲେ । ଅପରାହ୍ନରେ ଅଧିକାରୀ ତଥା କର୍ମଚାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି ନୂତନ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟକ୍ରମ ସୁଦୂରପ୍ରସାରୀ ବୋଲି କହିବା ସହିତ ଅଧିକାରୀମାନେ ସ୍ୱଚ୍ଛତା, ଦକ୍ଷତା ଓ ସାଧୁତା ବଜାୟ ରଖି ଉତମ ପ୍ରଶାସନର ସୁଫଳକୁ ଜନସାଧାରଣଙ୍କ ପାଖରେ ପହଂଚାଇବେ ବୋଲି ଆଶା ପ୍ରକଟ କରିଥିଲେ । ଅନ୍ୟପକ୍ଷରେ ଅଧିକାରୀମାନେ ବୈଷୟିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମନ୍ୱିତ ଆଦାନପ୍ରଦାନ ଓ ଅଭିଜ୍ଞତାର ଉପଲବ୍ଧି ଆଧାରରେ ଅଧିକ କ୍ରିୟାଶୀଳ ଓ ତତ୍ପର ହେବା ନିମନ୍ତେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ।

ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ନୂତନ ନିର୍ଦ୍ଦେଶକଙ୍କୁ ସ୍ୱାଗତ ଜଣାଇବା ସହିତ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ ଓ ବରିଷ୍ଠ ସୂଚନା ଅଧିକାରୀ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ । ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି ଧନ୍ୟବାଦ ଅର୍ପଣ କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ମଧ୍ୟ ମଚାଂସୀନ ଥିଲେ । ଏହି ବୈଠକରେ ଉପଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଉପଶାସର ସଚିବ ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ସୂଚନା ଅଧିକାରୀ ତଥା ବିଭିନ୍ନ ପ୍ରଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ ।