ଡିଜେନ ପୁରସ୍କାର ୨୦୨୦ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର କୃଷି ଭବନ

ଭୁବନେଶ୍ୱର : ଓଡ଼ିଶାର କୃଷିଭବନ କୋଠାର ଲୋକପ୍ରିୟତା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ବଢିଚାଲିଛି । ଚଳିତ ବର୍ଷ ଏହି ସ୍ଥାପତ୍ୟଟି ବିଶ୍ୱର ସମ୍ମାନଜନକ ଡିଜେନ ପତ୍ରିକା ଦ୍ୱାରା ଦିଆଯାଉଥିବା ଡିଜେନ ପୁରସ୍କାର ୨୦୨୦ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି । କୃଷି ଭବନ ଆର୍କିଟେକଚର ବର୍ଗ ଅନ୍ତର୍ଗତ ସିଭିକ ବିଲଡିଂ (ସର୍ବସାଧାରଣ ଅଟ୍ଟାଳିକା) ଉପବର୍ଗରେ ସ୍ଥାନ ପାଇଛି ।

ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି । ଏହାର ଡିଜାଇନରେ ଓଡ଼ିଶାର କଳାକୁ ପ୍ରଦର୍ଶିତ କରାଯାଇଛି । ୨୦୧୩ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଗତ ୨୦୧୮ରେ ଏହାକୁ ବ୍ୟବହାର ନିମନ୍ତେ ଖୋଲିଦିଆଯାଇଥିଲା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଓଡ଼ିଶାର କୃଷିବିଭାଗ ପାଇଥିବା କୃଷିକର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା ।

କୃଷି ଓ କୃଷକ ସଶକ୍ତକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତକଳାର ଏକ ଅପୂର୍ବ କୃତି ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି ।

କୃଷି ଭବନ ପୂର୍ବରୁ ମଧ୍ୟ ବିଶ୍ୱର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି । ଗତବର୍ଷ ଏହା ଫୋବର୍ସ, ଆର୍କଡେଲି, ଆର୍କିଟେକଚରାଲରେକର୍ଡ ଆଦିରେ ସ୍ଥାନ ପାଇଥିଲା । ଆହୁରି ମଧ୍ୟ ଏହା ଗତ ବର୍ଷ ଆମଷ୍ଟରଡାମ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଆର୍କିଟେକଚର ଫେଷ୍ଟିଭାଲରେ ମଧ୍ୟ ସ୍ଥାନ ପାଇଥିଲା ।