କୋଷାଗୁମୁଡା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ପୋଷ୍ଟମାର୍ଟମ ରିପୋର୍ଟ ଠିକ୍ ନାହିଁ ବୋଲି କହିଲେ ପରିବାର ଲୋକ

ନବରଙ୍ଗପୁର: କୋଷାଗୁମୁଡା ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନୂଆ ମୋଡ ନେଇଛି । ପୋଷ୍ଟମାର୍ଟମ ରିପୋର୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇ ନାହିଁ । କେବଳ ତଂଟିଚିପି ହତ୍ୟା କରାଯାଇଛି ବୋଲି ପ୍ରକାଶ ପାଇଛି । ମାତ୍ର ପୂର୍ବରୁ ପରିବାର ଲୋକ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ । ମାତ୍ର ପୋଷ୍ଟମାର୍ଟମ ରିପୋର୍ଟରେ ଏଭଳି ତଥ୍ୟ ଆସିବା ପରେ ଏହାକୁ ଭୁଲ ବୋଲି କହିଛନ୍ତି ପରିବାର ଲୋକେ ।

ଆଜି ପରିବାର ଲୋକଙ୍କୁ ଡ଼ାକି ପୋଲିସ ପକ୍ଷରୁ ପୋଷ୍ଟମାର୍ଟମ ରିପୋର୍ଟ ପଢ଼ାଇ ଶୁଣାଯାଇଥିଲା। ମାତ୍ର ପରିବାର ଲୋକ କେବଳ ତଂଟିଚିପି ହତ୍ୟା କରାଯାଇଥିବା କଥାକୁ ବିଶ୍ୱାସ କରୁନାହାନ୍ତି। ସେମାନେ ପୀଡ଼ିତାଙ୍କ ମୃତଦେହକୁ କବରରୁ ବାହାର କରି ପୁଣି ଥରେ ପୋଷ୍ଟମାର୍ଟମ କରିବାକୁ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ୨୦୨୦ଜାନୁଆରି ୪ ତାରିଖ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି। ପୀଡ଼ିତାଙ୍କ ସଂପର୍କୀୟ କହିଛନ୍ତି ଯେ ପାରିପାଶ୍ୱର୍ିକ  ପରିସ୍ଥିତିରୁ ସ୍ପଷ୍ଟ ଜଣାପଡ଼ୁଥିଲା କି ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଛି। ମାତ୍ର ଏହା ପୋଷ୍ଟମାର୍ଟମରେ ସ୍ପଷ୍ଟ ହେଉ ନଥିବାରୁ ରିପୋର୍ଟ ଭୁଲ୍ ଅଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ରାତିରେ ନାବାଳିକା ଜଣକ ପରିସ୍ରା କରିବାକୁ ଘର ବାହାରକୁ ଆସିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ପରଦିନ ସକାଳୁ ଗାଁ ଠାରୁ ପ୍ରାୟ ୩ଶହ ମିଟର ଦୂରରେ ଗୋଟିଏ ଜମିରେ ନାବାଳିକା ଜଣକ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ୨ଟି ପୁରୁଷ ଜିନ୍ ପ୍ୟାଂଟ ଓ ଗୋଟିଏ ହଳ ଚପଲ ପଡ଼ିଥିବାରୁ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଘଟଣା ଦିନ ରାତି ପ୍ରାୟ ୨ଟାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଶବ ଗାଁରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉପଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ସବ୍ୟସାଚୀ ଜେନା, ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ସଂଜୀବ ବି‌ଷୋୟୀ ପ୍ରମୁଖଙ୍କ ଉପସ୍ଥିତିରେ ଖ୍ରୀଷ୍ଟିଆନ ରୀତିନୀତିରେ ଶବକୁ କବର ଦିଆଯାଇଥିଲା।

ତେବେ ପୋଲିସ ପକ୍ଷରୁ ପରିବାରକୁ ପୋଷ୍ଟମର୍ଟମ୍ ରିପୋର୍ଟ ଦେବାରେ ବିଳମ୍ବ କରାଯାଇଥିଲା। ଏହାର ପ୍ରତିବାଦରେ ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ  ଜିଲ୍ଲା କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ପାଳନ କରାଯାଇଥିଲା।