ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୋରାପୁଟ ଲୋକେ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଗସ୍ତ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁ ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିଥିବାରୁ ଏଥିରେ ସନ୍ତୋଷ ପ୍ରକାଶ କରି ଜିଲ୍ଲାର ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ସାଧାରଣ ନାଗରିକ, କୃଷକ ମଙ୍ଗଳବାର ଭୁବନେଶ୍ୱର ଆସି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି । କୃଷକ, ଶ୍ରମିକ ଓ ସବୁ ବର୍ଗର କୋରାପୁଟ ଜିଲ୍ଲା ବାସିନ୍ଦା ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ରାଜ୍ୟକୁ ଆଗାମୀ ଦିନଗୁଡିକରେ ସେ ନେତୃତ୍ୱ ଦେବା ଲାଗି ଶୁଭକାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋରାପୁଟରୁ ଆସିଥିବା ଏହି ନାଗରିକମାନଙ୍କୁ କହିଛନ୍ତି, ଆମ ସରକାର ସଦାସର୍ବଦା ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିଛି । ବିଜୁବାବୁ କହୁଥିଲେ, କାହାର ଦୟାର ପାତ୍ର ହୁଅନାହିଁ ଏବଂ ସ୍ୱାବଲମ୍ବୀ ହୁଅ । ଏହାକୁ ବାସ୍ତବ ରୂପ ଦେବାକୁ ମୋ ସରକାର କାର୍ଯ୍ୟ କରୁଛି ।


ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ପ୍ରତିନିଧିମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁରାନ୍‍ ନଦୀ ଉପରେ, କୋଲାବ ଜଳଭଣ୍ଡାର ନିକଟ ନନ୍ଦପୁର-ଲମତାପୁଟ-ବନମାଳିପୁର ରାସ୍ତାର ସିନ୍ଧିପୁଟ ଘାଟ ନିକଟରେ ଏବଂ କୋଲାବ ଜଳଭଣ୍ଡାରରେ କୋରାପୁଟ-ସୁକୁ ରାସ୍ତା ଉପରେ ତିନୋଟି ହାଇଲେବୁଲ ବ୍ରିଜ୍‍ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନରୁ ଦାବି ଥିଲା । ଏହି ତିନୋଟି ବୃହତ ସେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଞ୍ଜୁର କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ବିକାଶ ତ୍ୱରାନ୍ୱିତ ହୋଇପାରିବ ।
ସୂଚନାଯୋଗ୍ୟ, ୫ ତାରିଖ ଦିନ କୋରାପୁଟ ଜିଲ୍ଲାର ଜୟପୁର ଏକାମ୍ର ପଡ଼ିଆରେ ଅନୁଷ୍ଠିତ ବିଜୁ ଯୁବ ବାହିନୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ୧୧୩୬ କୋଟି ୪୧ଲକ୍ଷ ଟଙ୍କାର ୩୧ଟି ପ୍ରକଳ୍ପ ଶୁଭ ଉଦ୍‍ଘାଟନ ସହ ୭୪୯ କୋଟି ଟଙ୍କାର ୯୪ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇବା ପ୍ରକ୍ରିୟାରେ ଦଳର ସାଧାରଣ ସଂପାଦକ ତଥା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଶ୍ରୀ ଚନ୍ଦ୍ରସାରଥୀ ବେହେରା, ସାଂସଦ ଝିନ୍ନ ହିକ୍‍କା, କୋରପୁଟ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବୋର୍ଡ ସଦସ୍ୟ ଇଂ. ଈଶ୍ୱର ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ ପ୍ରକାଶ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି, ଉପାଧ୍ୟକ୍ଷ ତୁଳସୀ କିଶାନୀ, ଦଶମନ୍ତପୁର ବ୍ଲକ ଉପାଧ୍ୟକ୍ଷ ତଥା ଜିଲ୍ଲା ସାଧାରଣ ସଂପାଦକ ନାରାୟଣ ବିଶୋୟୀ, ଲମତାପୁଟ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ହନ୍ତାଳ, ପୂର୍ବତନ ବିଧାୟକ ତଥା ଉପ-ସଭାପତି ରଘୁରାମ ପାଡାଲ, ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣ୍ଣିମା ଜାନି, ତ୍ରିପୁରାରୀ ଗରଡ଼ା, ଉକ୍ରଳ ରଞ୍ଜନ ନାୟକ, ବୀରେନ୍‍ ବିଶୋୟୀ, ସାଧାରଣ ସଂପାଦକ ରଘୁରାମ ମାଛ, କ୍ରିଟ୍‍ ଅଧ୍ୟକ୍ଷ ଅଶୋକ ପାଙ୍କୀ ପ୍ରମୁଖ ଉପସ୍ଥିତ ଥିଲେ ।