ବଜାରକୁ ଆସିଲା ‘କୋରାପୁଟ କଫି’

କୋରାପୁଟ : ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। କୋରାପୁଟ କଫି ନାମରେ ସ୍ବତନ୍ତ୍ର ବ୍ରାଣ୍ଡର କଫି ବଜାରକୁ ଆସିଛି । ଏଠାରେ କଫି ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ପରେ ଏହି କୋରାପୁଟ ବ୍ରାଣ୍ଡର କଫି ଖୋଲା ବଜାରରେ ମିଳିଛି। ଫଳରେ କଫିକୁ ନେଇ କୋରାପୁଟ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ବୀକୃତି ଲାଭ କରିଛି। ଏହା କୋରାପୁଟ‌ରେ କଫି ଚାଷକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି କି କୋରାପୁଟ କଫିକୁ ବିଶ୍ଵ ଦରବାରରେ ପରିଚିତ କରାଇବା ଓ ଏହାର ସ୍ଵତନ୍ତ୍ରତାକୁ ବଜାୟ ରଖିବା ପାଇଁ କୋରାପୁଟରେ ରାଜ୍ୟର ପ୍ରଥମ କଫି ପ୍ରକ୍ରିୟାକରଣ ୟୁନିଟର ଶୁଭାରମ୍ଭ ହୋଇଛି। ଖୁବଶୀଘ୍ର ସୁନାବେଡ଼ାରେ କଫି କ୍ୟୁରିଂ ୟୁନିଟ ଆରମ୍ଭ ହେବାକୁ ଥିବା ବେଳେ କଫି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ମଧ୍ୟ ଏହା ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ।

ବୁଧବାର କୋରାପୁଟର ଚନ୍ଦନ ପୋଖରୀ ପାଖରେ ଟିଡିସିସି ଷ୍ଟଲ ନିକଟରେ ଏହି କଫି ପ୍ରକ୍ରିୟାକରଣ ୟୁନିଟକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟାଙ୍ଗୀ ବିଧାୟକ ପୀତମ ପାଢୀ, ଲକ୍ଷ୍ମୀପୁର ବିଧା ୟକ ପ୍ରଭୁ ଜାନୀ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ସାନୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କଫି ପ୍ରକ୍ରିୟାକରଣ ୟୁନିଟ ଦ୍ବାରା କୋରାପୁଟର କଫି ଚାଷୀମାନେ ଉପକୃତ ହେବେ ବୋଲି ଅତିଥିମାନେ କହିଥିଲେ। ସେହିପରି କୋରାପୁଟ କଫି ଆନ୍ତର୍ଜାତିକ ସ୍ତରରେ ନିଜ ନାମକୁ ବଢାଇ ପାରିବ ବୋଲି ମତପ୍ରକାଶ ପାଇଥିଲା। ଏହି କଫିର ମାର୍କେଟିଂକୁ ଗୁରୁତ୍ବ ଦିଆଯିବା ସହ ଅଧିକ ଷ୍ଟୋର ଖୋଲିବାକୁ ଯୋଜନା କରାଯାଇଛି।

କଫି ପ୍ରକ୍ରିୟାକରଣ ୟୁନିଟର ଉଦଘାଟନୀ କାର୍ଯ୍ୟକ୍ରମକୁ କଫି ଉନ୍ନୟନ ଟ୍ରଷ୍ଟର ଏପିଡି ଦୟାନିଧି ବାଗ ପରିଚାଳନା କରିଥିବା ବେଳେ ଜନଜାତି ଉନ୍ନୟନ ସମବାୟ ନିଗମ ସୁନାବେଡାର ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ, କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍ଗୁ କୁମାରୀ, କୋରାପୁଟ କଫି ଉନ୍ନୟନ ଟ୍ରଷ୍ଟର ପିଡି ଭବାନୀ ଶଙ୍କର କାଲୋ, କୋରାପୁଟ ଉପଜିଲ୍ଲାପାଲ ଲଲିତ କୁମାର କହଁର, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ଉଦ୍ୟାନ ବିଭାଗର ଉପ-ନିର୍ଦେଶକ ଶଙ୍କର୍ଷଣ ରାଉତ, ଡିପିଏମୟୁର ଉପ ନିର୍ଦେଶକ ଲକ୍ଷ୍ମୀଧର ବିଶ୍ୱାଳ, କଫି ବୋର୍ଡର ବରିଷ୍ଠ ସଂପର୍କ ଅଧିକାରୀ ଅଜିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଓ ସୁନାବେଡାଠାରେ କଫି ପ୍ରକ୍ରିୟାକରଣ ୟୁନିଟ ନିମନ୍ତେ ଜନଜାତି ଉନ୍ନୟନ ସମବାୟ ନିଗମ ତରଫରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି।

କୋରାପୁଟ କଫି ଏବେ ଭୁବନେଶ୍ବରସ୍ଥିତ ଜନଜାତି ଉନ୍ନୟନ ସମବାୟ ନିଗମ କାର୍ଯ୍ୟାଳୟ ପରିସରରେ ଥିବା ‘ଆଦିଶା‘ କାଉଣ୍ଟରରେ ମିଳିପାରିବ। ଏଥିସହ ଆଗ୍ରହୀ ଗ୍ରାହକ ଆମାଜନ୍ ଡଟ୍ ଇନରୁ ମଧ୍ୟ ଅନଲାଇନରେ ମଗାଇ ପାରିବେ।