କୋଣାର୍କ ପ୍ରସଙ୍ଗ: ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ କଲେ ଆଲୋଚନା

ଭୁବନେଶ୍ୱର : ଶୁକ୍ରବାର ପୂର୍ବାହ୍ଣରେ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହିତ ନୂଆଦିଲ୍ଲୀରେ ଏକ ବୈଠକରେ କୋଣାର୍କ ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱ ଐତିହ୍ୟ ପ୍ରସିଦ୍ଧ କୋଣାର୍କ ମନ୍ଦିର ତଥା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିଗୁଡ଼ିକର ସଂରକ୍ଷଣ ବାବଦରେ ଦେଖାଦେଇଥିବା ଅଭିଯୋଗ ଏବଂ ସମସ୍ୟା ନେଇ ଆଲୋଚନା କରିଥିଲେ । ଆଲୋଚନା ସମୟରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ଆସନ୍ତା ଡିସେମ୍ବର ୧୦ରେ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ କୋଣାର୍କ ସମ୍ପର୍କରେ ବ୍ୟାପକ ଆଲୋଚନା ହେବ । ଏହି ଆଲୋଚନାରେ ୧୯୯୭ ଓ ୨୦୧୦ରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଦତ୍ତ ବିଭିନ୍ନ ସୁପାରିଶ ନେଇ ହୋଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ମତବିନିମୟ ହେବ । ଏହି ସୁପାରିଶ ଜାତୀୟ କୋଠାବାଡ଼ି ଗବେଷଣା ପ୍ରତିଷ୍ଠାନକୁ ଦିଆଯାଇଥିବା ରିପୋର୍ଟ ଆଧାରରେ ମଧ୍ୟ ଆଲୋଚନା କରାଯିବ । ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶର୍ମା ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି । ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶର୍ମାଙ୍କ ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ଆଲୋଚନା କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ଲୋକସଭା ସଦସ୍ୟ ଡ. ପ୍ରସନ୍ନ ପାଟ୍ଟଶାଣୀ, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, କେନ୍ଦ୍ର ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମାହନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶକ, ଓଡ଼ିଶା ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ ଉପସ୍ଥିତ ଥିଲେ ।