ସୌନ୍ଦର୍ଯ୍ୟକରଣ ହେବ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର

କୋଣାର୍କ: ଶ୍ରୀମନ୍ଦିର, ଲିଙ୍ଗରାଜ ପରେ ଏବେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ପାଳି । ବିଶ୍ୱ ଐତିହ୍ୟରେ ସାମିଲ ହେବାକୁ ଥିବା କୋଣାର୍କ ମନ୍ଦିରର ଚତୁଃପାର୍ଶ୍ଵ ଏବେ ସୌନ୍ଦର୍ଯ୍ୟକରଣ କରାଯିବାର ପଦକ୍ଷେପ ନିଆଯିବ ।

କୋଣାର୍କ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସଚିବ କିଶନ କୁମାର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵ ସହ କୋଣାର୍କ ବଜାରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି।

ଗତକାଲି ଅପରାହ୍ନରେ ପୂର୍ତ ସଚିବ, ଜିଲ୍ଲାପାଳ ପ୍ରଥମେ ଆଇଓସିଏଲ ଦ୍ୱାରା ନିର୍ମିତ ବାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ପରେ ସୂର୍ଯ୍ୟ ମନ୍ଦିରର ପ୍ରବେଶ ପଥ, ଅର୍ବାନ ହାଟ, ରିଙ୍ଗ ରୋଡ୍, ଆଇଓସିଏଲ୍ କାର ପାର୍କିଂ, ବସ୍ ପାର୍କିଂ, ମେଡିକାଲ ଛକ, ଥାନା ଛକ ଆଦି ବୁଲି ଦେଖିଥିଲେ । ଏହାସହ ଆର୍କିଟେକଙ୍କୁ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ ।

ସୂଚନାନୁଯାୟୀ, ବିଶେଷ କରି କୋଣାର୍କରେ ପାର୍କିଂ ବ୍ୟବସ୍ଥା, ଆଇଓସିଏଲ ଅଧୀନରେ ଥିବା ୮ଏକର ଜମିର ବିକାଶ,  ସ୍ୱତନ୍ତ୍ର ଭେଣ୍ଡିଙ୍ଗ୍ ଜୋନରେ ଜବରଦଖଲକାରୀଙ୍କୁ  ଥଇଥାନ, ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ରାସ୍ତା, ପାଦଚଲା ରାସ୍ତା ନିର୍ମାଣ ନେଇ ଆଲୋଚନା  ହୋଇଥିଲା ।