ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବ ଆରମ୍ଭ

ଅଂଶଗ୍ରହଣ କରିବେ ଇଣ୍ଡୋନେସିଆ ନୃତ୍ୟ ଦଳ

ଭୁବନେଶ୍ବର : ତାଳ, ମୁଦ୍ରା ଓ କମନୀୟ ଅଙ୍ଗଭଙ୍ଗୀରେ ମଜିବେ ଦର୍ଶକ। ଏସିଆର ସର୍ବବୃହତ୍‌ ବାଲୁକା କଳାରେ ବିଭୋର ହେବେ ପର୍ଯ୍ୟଟକ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚଠୁ ନେଇ ସମ୍ପୂର୍ଣ୍ଣ ପରିବେଶ ଆଲୋକମାଳାରେ ଝଲସିବ। କୋଣାର୍କ ସୂର୍ଯ୍ୟ ମନ୍ଦିର ଗାତ୍ରରେ ନର୍ତକୀଙ୍କ ସମ୍ମୁଖରେ ଦେଶର ଅଗ୍ରଣୀ ଶିଳ୍ପୀଙ୍କ ନୃତ୍ୟରେ ହଜିଯିବାର ଅବକାଶ ଆଣିବ କୋଣାର୍କ ଉତ୍ସବ। ଖଜୁରାହୋ ଉତ୍ସବ ଦିନେ ଭାରତର ସର୍ବାଦୃତ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ଭାବେ ପରିଗଣିତ ହେଉଥିବା ବେଳେ କୋଣାର୍କ ଉତ୍ସବ ଏହାକୁ ଅତିକ୍ରମ କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଉତ୍ସବର କଳେବର ଏଥର ବୃଦ୍ଧି ପାଇଛି।

ଏଥର ୫ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ନୃତ୍ୟକ୍ରମରେ ଇଣ୍ଡୋନେସିଆ ବାଲି ଦ୍ବୀପର ବାଲିନିଜ ନୃତ୍ୟ ଦେଖିବାକୁ ମିଳିବ। ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ସମେତ କଥକ, ମୋହିନୀଆଟ୍ଟମ, କୁଚିପୁଡ଼ି, ଭାରତନାଟ୍ୟମ ନୃତ୍ୟ ଜଗତର ପ୍ରଥିତଯଶା ଶିଳ୍ପୀଙ୍କ ନୃତ୍ୟ ଦେଖିବାର ସୁ‌ଯୋଗ ମିଳିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥ ନିବାସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି। ଡିସେମ୍ବର ୩ରେ ରବୀନ୍ଦ୍ର ମଣ୍ଡପରେ ମଧ୍ୟ ସେଇ ନୃତ୍ୟ ଦଳ ବାଲିନିଜ ନୃତ୍ୟ ପରିବେଷଣ କରିବେ।

କୋଣାର୍କ ଉତ୍ସବରେ ନୃତ୍ୟ ଦେଖିବା ସହ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଉପଭୋଗର ସୁଯୋଗ ପାଇବେ ପର୍ଯ୍ୟଟକ। ଏହି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ମୋଟ୍‌ ୪୨ଟି ଷ୍ଟଲ୍‌ରେ ୧୨୩ ଜଣ ଶିଳ୍ପୀ ଅଂଶଗ୍ରହଣ କରି ଅପୂର୍ବ କାରିଗରୀ ପ୍ରଦର୍ଶନ କରିବେ। ଜୈବ ପର୍ଯ୍ୟଟନ, ସଂସ୍କୃତି ଓ ପର୍ବ ପର୍ବାଣୀ, ମହିଳ ସଶକ୍ତୀକରଣ, ପ୍ଲାଷ୍ଟିକ୍‌କୁ ନା ଓ ଐତିହ୍ୟ ଶୀର୍ଷକ ବିଷୟରେ ୫ଦିନରେ ୫ଟି ବିଷୟରେ କ୍ରମାନ୍ବୟରେ ବାଲୁକା କଳା ପ୍ରଦର୍ଶିତ କରାଯିବ। ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ଆୟାର୍ଲାଣ୍ଡ, ଡେନ୍‌ମାର୍କ, ରୁଷିଆ, କାନାଡ଼ା, ଟଗୋ ଓ ଶ୍ରୀଲଙ୍କାରୁ ୭ଜଣ ବିଦେଶୀ ବାଲୁକା ଶିଳ୍ପୀ ମଧ୍ୟ ଅଂଶଗ୍ରହଣ କରିବେ। ଏଥିସହ ୨ ଦିବ୍ୟାଙ୍ଗ ଶିଳ୍ପୀ ମଧ୍ୟ ନିଜ କଳା ଚାତୁରୀ ପ୍ରଦର୍ଶନ କରିବେ। ଏହା ମଧ୍ୟରେ ଏକ ୧୦ ଜଣିଆ ବାଲୁକା ଶିଳ୍ପୀ ଦଳ ବିଶାଳ କଳାକୃତି ପ୍ରଦର୍ଶନ କରିବେ ବୋଲି ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ୍ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି। ଓଡ଼ିଶା ସମେତ ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରୁ ମଧ୍ୟ ଶିଳ୍ପୀମାନେ ଭାଗ ନେବେ।

ଏହି ଅବସରରେ ଚନ୍ଦ୍ରଭାଗା ନିକଟରେ ଏକ ଆକର୍ଷଣୀୟ ହସ୍ତଶିଳ୍ପ ମେଳା ଅନୁଷ୍ଠିତ ହେବ। ସମୁଦ୍ର କୂଳରେ ସ୍ବତନ୍ତ୍ର ଖାଦ୍ୟ ମେଳା ଏଭଳି ସ୍ବାଦିଷ୍ଟ ବ୍ୟଞ୍ଜନ ଚଖାଇବାର ଅବକାଶ ଆଣିବ। ଏଥିପାଇଁ ଲୋଟସ, ପାନ୍ଥ ନିବାସ, ଗୀତାଞ୍ଜଳି ଆଦି ୫ଟି ହୋଟେଲ୍‌ ଖାଦ୍ୟ ଭେଟିଦେବେ ବୋଲି ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ଆର୍‌ ଯାଦବ କହିଛନ୍ତି।

କୋଣାର୍କ ଉତ୍ସବ ଉପଭୋଗ କରିବା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ର ବ୍ୟବସ୍ଥା ହୋଇଛି। ଓଡ଼ିଶା ବାହାରୁ ଏଯାବତ ୧୭୭ ଜଣ ବୁକିଂ କରିସାରିଥିବା ବେଳେ ୪ଲକ୍ଷ ୫୦ ହଜାର ଟଙ୍କାର ରାଜସ୍ବ ଆଦାୟ ହୋଇଛି। ଏଥିସହ ପୁରୀ ଓ ଭୁବନେଶ୍ବରରୁ ବୁକିଂ କରାଯାଉଛି। ଦିନିକିଆ ଟୁର୍‌ର ମୂଲ୍ୟ ଭୁବନେଶ୍ବରରୁ ୧୪୧୫ ଟଙ୍କା ରହିଥିବା ବେଳେ ପୁରୀରୁ ଦିନିକିଆ ଟୁର୍‌ର ମୂଲ୍ୟ ୧୦୯୫ ଟଙ୍କା ରହିଛି। ସେହିଭଳି ଭୁବନେଶ୍ବରରୁ ଟୁର୍‌ ପ୍ୟାକେଜ୍‌ର ଦର ୨ଦିନ/ରାତି ପାଇଁ ୭୬୭୦ ଟଙ୍କା, ୩ ଦିନ/ରାତି ପାଇଁ ୧୨୫୨୦ ଟଙ୍କା, ୫ ଦିନ/ରାତି ପାଇଁ ୧୯୬୦୦ ଟଙ୍କା ରହିଛି। ଏହା ମଧ୍ୟରେ ପର୍ଯ୍ୟଟକମାନେ ପୁରୀ ପାନ୍ଥ ନିବାସରେ ରହିବା ସହ କୋଣାର୍କ, ଚନ୍ଦ୍ରଭାଗା ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର, ରଘୁରାଜପୁର, ଚିଲିକା, ସାତପଡ଼ା ଆଦି ବୁଲିବାର ସୁଯୋଗ ପାଇପାରିବେ ବୋଲି ଓଟିଡିସିର ପରିଚାଳନା ନିର୍ଦେଶକ ହେମକାନ୍ତ ସାଏ କହିଛନ୍ତି।